ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଫଟୋକୁ ଡିଲିଟ୍ କରି କ୍ଷମା ମାଗିଲେ ବିବେକ ଓବରୟ

ମୁମ୍ବାଇ: ତୀବ୍ର ସମାଲୋଚନା ଓ ମହିଳା କମିଶନଙ୍କ ନୋଟିସ ପରେ ଶେଷରେ ଅଭିନେତା ବିବେକ ଓବରୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଟ୍ୱିଟ୍ କରିଥିବା ଏକ ମିମ୍ ଓ ଫଟୋକୁ ଆଜି ଡିଲିଟ୍ କରିଛନ୍ତି। ଏ ନେଇ ସେ ଟ୍ୱିଟ୍ କରି ଆଜି ସକାଳେ କ୍ଷମା ପ୍ରାର୍ଥନା କରିଛନ୍ତି। ଯଦି ଭାଇରାଲ ହୋଇଥିବା ଫଟୋଟି କାହାକୁ କ୍ଷତି ବା ଆଘାତ ପହଞ୍ଚାଇଛି ସେଥିପାଇଁ ସେ କ୍ଷମା ମାଗୁଛନ୍ତି ବୋଲି ଓବରୟ କହିଛନ୍ତି।

ମହିଳାଙ୍କୁ ସେ ସମ୍ମାନ ଦିଅନ୍ତି, ସେଥିପାଇଁ ସେ ବିଗତ ୧୦ ବର୍ଷ ହେବା ୨ହଜାରରୁ ଅଧିକ ଝିଅଙ୍କ ସଶକ୍ତିକରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ କରୁଥିବା ଟ୍ୱିଟ୍ କରି କହିଛନ୍ତି ବିବେକ ଓବରୟ।
ଗତକାଲି ଐଶଙ୍କ ସହିତ ସଲମାନ ଖାନଙ୍କର ଏକ ଫଟୋରେ ଓପିନିଅନ୍‌ ପୋଲ୍‌, ନିଜ ସହ ଫଟୋରେ ଏକଜିଟ୍‌ ପୋଲ୍‌ ଏବଂ ଶେଷରେ ଅଭିଷେକ ଓ ଆରାଧ୍ୟାଙ୍କ ସହ ଫଟୋରେ ରେଜଲ୍ଟ ବୋଲି ଲେଖାଥିବା ଫଟୋ ଶେୟାର କରିଥିଲେ ବିବେକ ଓବରୟ।
ଏହାପରେ ଜାତୀୟ ମହିଳା କମିଶନ୍‌ ତାଙ୍କୁ ନୋଟିସ୍‌ ପଠାଇ ଟ୍ୱିଟ ସମ୍ପର୍କରେ ତାଙ୍କ ସ୍ପଷ୍ଟୀକରଣ ରଖିବାକୁ କହିଥିଲେ। ଅନେକ ବଲିଉଡ କଳାକାର ମଧ୍ୟ ବିବେକଙ୍କ ଏପରି ପୋଷ୍ଟକୁ ନେଇ କଡ଼ା ସମାଲୋଚନା କରିଥିଲେ।