ରାଜ୍ୟସଭାରେ କାନ୍ଦିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଆଜି ସର୍ବସମ୍ମୁଖରେ କାନ୍ଦି ପକାଇଛନ୍ତି।

ଆଜି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଶ୍ରୀ ନାଇଡୁ ଗତକାଲି ପରଲୋକ ଗମନ କରିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟପାଲ ରେଡ୍ଡୀଙ୍କ ସ୍ମୃତି ଚାରଣ କରିଥିଲେ। ହେଲେ ସ୍ମୃତିଚାରଣ ବେଳେ ଶ୍ରୀ ନାଇଡୁ ତାଙ୍କର ଘନିଷ୍ଠ ବନ୍ଧୁ ଜୟପାଲଙ୍କ ପୁରୁଣା କଥାକୁ ମନେପକାଇ ଅଧ୍ୟକ୍ଷ ଚେୟାରରେ ବସିଥିବା ବେଳେ ସେ କାନ୍ଦି ପକାଇଥିଲେ।

ଜୟପାଲଙ୍କୁ ଜଣେ ଭଲ ବକ୍ତା ଓ ଦକ୍ଷ ପ୍ରଶାସକ ଭାବେ ବର୍ଣ୍ଣନା କରି ଶ୍ରୀ ନାଇଡୁ କହିଥିଲେ, “୧୯୭୦ରେ ମୁଁ ଆନ୍ଧ୍ର ପ୍ରଦେଶରେ ଜୟପାଲଙ୍କ ସହ ଦୁଇଥର ବିଧାନସଭାରେ କାର୍ଯ୍ୟ କରିଛି।

ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଆମେ ଏକାଠି ବ୍ରେକ୍‌ଫାଷ୍ଟ କରୁଥିଲୁ। ଆମେ ଦୁଇ ଜଣ ଗୋଟିଏ ବେଞ୍ଚରେ ବସୁଥିଲୁ। ସେତେବେଳେ ସକାଳ ୮ଟାରୁ ବିଧାନସଭା ଆରମ୍ଭ ହେଉଥିଲା। ଆମେ ପ୍ରତିଦିନ ୭ଟାରେ ବ୍ରେକଫାଷ୍ଟ ପାଇଁ ଏକାଠି ହେଉଥିଲୁ।

ସେ ମୋ ବନ୍ଧୁ, ମୋ ଶିକ୍ଷକ ଓ ମୋ ଗାଇଡ୍‌ ଥିଲେ। ମୁଁ ତାଙ୍କ ଠାରୁ ୬ ବର୍ଷ ସାନ। ତାଙ୍କ ସ୍ଥାନ କେବେ ହେଲେ ପୂରଣ ହୋଇପାରିବ ନାହିଁ।”

ଜୟପାଲଙ୍କ ବିୟୋଗରେ ଆଜି ରାଜ୍ୟସଭାରେ ସମସ୍ତ ସଦସ୍ୟ ଗୋଟିଏ ମିନିଟ୍‌ର ନିରବ ପ୍ରାର୍ଥନା କରିଥିଲେ।