ଶେଷ ସପ୍ତାହରେ ଅଯୋଧ୍ୟା ଶୁଣାଣି: ମୁସଲିମ ପକ୍ଷ କହିଲେ-ଆମର ଦରକାର ଡିସେମ୍ବର ୬ ପୂର୍ବରୁ ମସଜିଦ୍‌

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଲଗାତାର ୩୮ ଦିନ ଧରି ଚାଲିଥିବା ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ସପ୍ତାହରେ ପହଞ୍ଚିଛି। ଆସନ୍ତା ୧୭ ତାରିଖ ସୁଦ୍ଧା ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷ ନିଜର ଶେଷ ଯୁକ୍ତି ଉପସ୍ଥାପନ କରିବେ। ଏହାପରେ ନଭେମ୍ବର ୧୭ ସୁଦ୍ଧା ଏହାର ରାୟ ପ୍ରକାଶ ପାଇବ ବୋଲି ଲକ୍ଷ୍ୟ ରଖାଯାଇଛି। ତେବେ ଆଜି ୩୮ତମ ଦିନର ଶୁଣାଣି ବେଳେ ମୁସଲିମ ପକ୍ଷ ନିଜର ଯୁକ୍ତି ଉପସ୍ଥାପନ କରି ବିବାଦୀୟ ଜମିରେ ବାବ୍ରୀ ମସିଜିଦ ନିର୍ମାଣ କରିବାକୁ ଦାବି କରିଛି।

ସୁନି ୱାକଫ ବୋର୍ଡ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ରାଜୀବ ଧବନ ଆଜି ସିଜେଆଇ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କୁ କହିଛନ୍ତି ଯେ ୧୯୮୯ ଯାଏ ହିନ୍ଦୁ ପକ୍ଷ ଏଠାରେ ନିଜର ମାଲିକାନା ଜାହିର କରୁ ନଥିଲେ। ୧୯୯୨ ମସିହା ଡିସେମ୍ବର ୬ରେ ଏଠାରେ ଥିବା ମସଜିଦକୁ ଭାଙ୍ଗି ଦିଆଯାଇଥିଲା। ତେଣୁ ଆମେ ୧୯୯୨ ମସିହା ଡିସେମ୍ବର ୫ ଯାଏ ଏଠାରେ ଥିବା ବାବ୍ରୀ ମସଜିଦ୍‌ ପୂର୍ବଭଳି ସ୍ଥାପିତ କରିବାକୁ ଦାବି କରୁଛୁ। ଅର୍ଥାତ ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ବିବାଦୀୟ ଢାଞ୍ଚାକୁ ଭଙ୍ଗା ଯାଇଥିବା ବେଳେ ଏହାର ପୂର୍ବାଅବସ୍ଥା ଯେମିତି ଥିଲା ତାହା ଦାବି କରାଯାଇଛି।

ମୁସଲିମ କେବେ ହେଲେ ଏଠାରେ ନିଜର ମାଲିକାନା ହରାଇ ନାହାନ୍ତି। ବରଂ ୧୯୮୬ ମସିହାରେ ହିନ୍ଦୁ ପକ୍ଷ ମାଲିକାନା ଜାହିର କରି ପରାସ୍ତ ହୋଇଥିଲେ।” ଏହି ସମୟରେ ଖଣ୍ଡପୀଠରେ ଥିବା ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ “ଏଠାକାର ବାହାର ଅଗଣା ହିନ୍ଦୁ ପକ୍ଷଙ୍କର ଥିଲା ବୋଲି ସେମାନେ ଦାବି କରୁଛନ୍ତି। ଏନେଇ ସେମାନଙ୍କ ପାଖରେ ଦସ୍ତାବିଜ ରହିଛି।”

ଧବନ କହିଥିଲେ,“ ବାହାର ଅଗଣା ହିନ୍ଦୁଙ୍କର କେବେ ନଥିଲା। ସମସ୍ତେ ଜାଣିଛନ୍ତି ଯେ ଏଠାରେ ହିନ୍ଦୁମାନେ କେବଳ ପୂଜା କରିବାକୁ ଅଧିକାର ପାଇଥିଲେ। ମାଲିକାନା ଦାବି ପାଇଁ ସେମାନେ ଅଧିକାର ପାଇ ନଥିଲେ।” ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ, “ତଥ୍ୟ ଅନୁସାରେ ବାହାର ଅଗଣାରେ ସାଧୁସନ୍ଥମାନେ ରହୁଥିବା ତଥ୍ୟ ରହିଛି।”

ଏହାର ଉତ୍ତରରେ ଧବନ କହିଥିଲେ, “ଖଣ୍ଡପୀଠ କେବଳ ମୁସଲିମ ପକ୍ଷଙ୍କୁ ସବୁ ପ୍ରଶ୍ନ ପଚାରୁଛନ୍ତି। ଅନ୍ୟପକ୍ଷ(ହିନ୍ଦୁ)କୁ କାହିଁକି କିଛି ପଚାରୁ ନାହାନ୍ତି? ଆହ୍ଲାବାଦ ହାଇକୋର୍ଟ ଏହି ମାମଲାରେ ଦେଇଥିବା ରାୟ ମଧ୍ୟ ବିବାଦ ସୃଷ୍ଟି କରୁଛି। ହାଇକୋର୍ଟଙ୍କ ଦୁଇ ବିଚାରପତି ଜଷ୍ଟିସ୍‌ ଖାନ୍‌ ଓ ଜଷ୍ଟିସ ଶର୍ମା ଭିନ୍ନ ରାୟ ଦେଇଥିଲେ। ଜଷ୍ଟିସ୍‌ ଖାନ୍‌ କହିଥିଲେ ଯେ ଏଠାରେ ମସଜିଦ୍‌ ନିର୍ମାଣ କରିବାକୁ କୌଣସି ପୂର୍ବ ଭିତ୍ତିଭୂମିକୁ ନଷ୍ଟ କରାଯାଇ ନଥିଲା। କିନ୍ତୁ ଜଷ୍ଟିସ୍‌ ଶର୍ମାଙ୍କ ରାୟ ତାଙ୍କ ଠାରୁ ଅଲଗା ଥିଲା। ୧୯୮୫ ପୂର୍ବରୁ କୌଣସି ଦସ୍ତାବିଜ ଗ୍ରହଣ କରାଯିବ ନାହିଁ ଅନେକ ମତଦେଇଥିଲେ। ହିନ୍ଦୁ ପକ୍ଷଙ୍କ ପାଖରେ ୧୯୮୫ ପୂର୍ବର ସମସ୍ତ ତଥ୍ୟ ରହିଛି। ତେବେ ଏହି ତଥ୍ୟ କେବଳ ଭାରତ ଗସ୍ତରେ ଆସିଥିବା ବିଦେଶୀ ନାଗରିକ, କିଛି ସ୍କନ୍ଧ ଓ ପୁରାଣ ଉପରେ ଆଧାରିତ।

ଆମେ ଭାରତକୁ ଗୋଟିଏ ବୋଲି ମାନୁଛୁ। ତେବେ ଉତ୍ତର ଭାରତରେ ଥିବା ପ୍ରଥା ଗୁଡ଼ିକ ଦକ୍ଷିଣ ଭାରତର ପରମ୍ପରାଠାରୁ ଭିନ୍ନ। ତଥାପି ଆମେ ସମସ୍ତଙ୍କୁ ସମାନ ଭାବେ ଦେଖିଛୁ ଏବଂ ଏକାଠି ବାନ୍ଧି ରଖିବାକୁ ଚେଷ୍ଟା କରୁଛୁ। ମସଜିଦ୍‌କୁ ହୁଏତ ଭାଙ୍ଗି ଦିଆଯାଇଛି କିନ୍ତୁ ମସଜିଦ ସର୍ବଦା ମସଜିଦ୍‌ ହୋଇ ରହିବ। ଅଯୋଧ୍ୟାରେ ମସଜିଦ୍‌କୁ ଭଙ୍ଗା ଯାଇଥିଲା। ତଥାପି ସେଠାରେ ଭଗ୍ନ ଅବସ୍ଥାରେ ମସଜିଦ ହିଁ ରହିଛି।” ସେ ଆହୁରି କହିଛନ୍ତି, “ଔରଙ୍ଗଜେବ ବହୁତ ଦୟାଳୁ ରାଜା ଥିଲେ। ମହମ୍ମଦ ଘୋରିଙ୍କ ଭଳି ଅନ୍ୟ ଯେଉଁ ରାଜାମାନେ ଭାରତ ସହ ଯୁଦ୍ଧ କରିବାକୁ ଚେଷ୍ଟା କରୁଥିଲେ, କ’ଣ ସେମାନେ କେବେ ମସଜିଦ ନିର୍ମାଣ କରିଛନ୍ତି କି? ତେଣୁ ନୂଆ ଇତିହାସ ଲେଖିବାକୁ ଚେଷ୍ଟା କରାନ ଯାଉ।

ଯଦି ଆମେ ବାବରଙ୍କ କାର୍ଯ୍ୟକୁ ସମୀକ୍ଷା କରିବା ତା’ହେଲେ ରାଜା ଅଶୋକଙ୍କ କାର୍ଯ୍ୟକୁ ମଧ୍ୟ ସମୀକ୍ଷା କରିବା ଉଚିତ। ଇସଲାମ ଆଇନ୍‌ ବେଶ ଜଟିଳ ବୋଧେ? ହିନ୍ଦୁ ପକ୍ଷଙ୍କ ପାଖରେ ଏହାକୁ ନେଇ ସୀମିତ ଜ୍ଞାନ ରହିଛି।” ଏହାକୁ ହିନ୍ଦୁ ପକ୍ଷଙ୍କ ଓକିଲ ପିଏନ ମିଶ୍ରା ବିରୋଧ କରିଥିଲେ। ସେ କହିଥିଲେ, “ରାଜୀବ ଧବନ କେମିତି କହିପାରିବେ ଯେ ଇସଲାମ ଉପରେ ଆମର ଜ୍ଞାନ କମ? ଆମେ କ’ଣ ଯୁକ୍ତି ଉପସ୍ଥାନ କରିବୁ ନ କରିବକୁ ସେକଥା ଆମକୁ ଆପଣ କହିବାକୁ କିଏ?” ଏହି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ସ୍ମିତ ହାସ୍ୟ ଦେଇ କହିଥିଲେ, “ରାଜୀବ ଧବନଙ୍କ ପାଖରେ ଅସୀମ ଜ୍ଞାନ ରହିଛି।”

ରାଜୀବ ପୁଣି କହିଥିଲେ, “ମାଲିକାନାକୁ ନେଇ ହିନ୍ଦୁ ପକ୍ଷଙ୍କ ପାଖରେ କୌଣସି ପ୍ରମାଣ ନାହିଁ। କୁହାଯାଉଛି, ହିନ୍ଦୁ ମନ୍ଦିର ଉପରେ ମସଜିଦ ନିର୍ମାଣ ହୋଇଛି। ଏବେ କୋର୍ଟ କ’ଣ ଏଭଳି ୫୦୦ଟି ମସଜିଦ ଭାଙ୍ଗି ତା’ ତଳେ ମନ୍ଦିର ଅଛି କି ନାହିଁ ଦେଖିବେ? ଏବେ ଏହି କଥାକୁ ବିଶ୍ୱାସ କରାଯାଉ। ଯଦି ମସଜିଦ ତଳେ ଅନ୍ୟ କିଛି ଧର୍ମ ଅନୁଷ୍ଠାନ ରହିଥିବା ପ୍ରମାଣ ମିଳିବ, ତା’ହେଲେ କ’ଣ ୪୫୦ ତଳ ପୁରୁଣା ମସଜିଦ୍‌ ଗୁଡ଼ିକୁ ଅବୈଧ ଘୋଷଣା କରାଯିବ କି?”