ସୀମାରେ ଯୁଦ୍ଧ ସ୍ଥିତି

ନୂଆଦିଲ୍ଲୀ: ଭାରତ-ପାକ୍ ସୀମାରେ ଏବେ ଯୁଦ୍ଧ ଭଳି ପରିସ୍ଥିତି। ପାକ୍ ସେନାର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ସୀମାବର୍ତ୍ତି ଅଞ୍ଚଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଗତକଲି ବିଳମ୍ବିତ ରାତିରେ ପାକ ସେନାର ମୋର୍ଟାର ମାଡ଼ରେ ପ୍ରାଣ ହରାଇଛନ୍ତି ୪ଜଣ ସ୍ଥାନୀୟ ଲୋକ। ପାଲଟା ଫାୟାରିଂ କରି ଏହାର କଡ଼ା ଜବାବ ଦେଉଛି ବିଏସଏଫ୍। ସେପଟେ କ୍ରମାଗତ ଉତ୍ତେଜନା ଲାଗି ରହିଥିବାରୁ ସୀମାବର୍ତ୍ତି ଅଞ୍ଚଳରୁ ଏଯାଏଁ ପ୍ରାୟ ୪୦ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହାସହ ପ୍ରାୟ ୧୦୦ ଗାଁ ଓ ପଡ଼ା ଖାଲି କରି ୭୬ ହଜାର ଲୋକେ ଅନ୍ୟତ୍ର ପଳାଇ ଥିବା ଜଣାପଡ଼ିଛି।

କେବେ ସୁଧୁରିବ ପାକିସ୍ତାନ ? ଏହି ପ୍ରଶ୍ନ ନା କେବଳ ପ୍ରତ୍ୟେକ ଭାରତୀୟଙ୍କ ମନକୁ ଆସୁଛି, ସାରା ବିଶ୍ୱର ଲୋକେ ଚାହିଁ ବସିଛନ୍ତି। କାରଣ ଆତଙ୍କବାଦର ଭୂସ୍ୱର୍ଗ ପାଲଟି ଥିବା ପାକିସ୍ତାନ ସାରା ବିଶ୍ୱ ପାଇଁ ବିପଦ ହେବାକୁ ବସିଛି। ମୁହଁରେ ଗୋଟିଏ କଥା କହୁଥିବା ପାକିସ୍ତାନ ସବୁ ବେଳେ ଓଲଟା କାମ କରିଥାଏ। ଏହାର ଜ୍ୱଳାନ୍ତ ଉଦାହରଣ ଭାରତ-ପାକ୍‌ ସୀମା। ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସୀମା ଉପରେ ମୋର୍ଟାର ମାଡ଼ କରୁଥିବା ପାକ୍‌ ସେନାକୁ ଭାରତୀୟ ଯବାନ ମୁହଁତୋଡ଼ ଜବାବ ଦେଉଛନ୍ତି। ଏଥିରେ ବ୍ୟତିବ୍ୟସ୍ତ ପାକ୍‌ ସରକାର ଅସ୍ତ୍ରବିରତି ପାଇଁ ଭାରତୀୟ ସରକାରଙ୍କୁ ଅନୁରୋଧ କରିବା ପରେ ପୁଣି ନିଜ ଆଡୁ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି। ଲଗାତର ୭ଦିନ ଧରି ପାକିସ୍ତାନ ରେଞ୍ଜର୍ସ ପକ୍ଷରୁ ଜାରି ରହିଛି ଏପରି ଗୁଳିମାଡ଼। ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଅଖନୁରରୁ କଠୁଆ ମଧ୍ୟରେ ଥିବା ଅଞ୍ଚଳ। ଏଥିସହ ଜମ୍ମୁ, ସାମ୍ବା, ଆରଏସ୍‌ପୁରା, ରାମଗଡ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। ଗୁଳିମାଡ ଯୋଗୁଁ ୭୦ହଜାରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼ ପରେ ୪ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହେବା ସହ ୩୦ଜଣ ଆହତ ହୋଇଛନ୍ତି। ଗୁଳିମାଡ଼ରେ ସୀମାବର୍ତ୍ତୀ ଅଞ୍ଚଳର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ପାକ୍ ସେନାର ଗୁଳିମାଡରେ ଘରେ ଶୋଇଥିବା ଏକ ୮ମାସର ଶିଶୁର ମଙ୍ଗଳବାର ମୃତ୍ୟୁ ଘଟିଛି।

ପରିସ୍ଥିତିକୁ ନଜରରେ ରଖି ସୀମାର ୫ କିଲୋମିଟର ମଧ୍ୟରେ ସ୍କୁଲଗୁଡିକୁ ବନ୍ଦ କରିଦିଆଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୀମାବର୍ତ୍ତୀ ଲୋକମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରାଯାଉଛି।  ଆଜି ସୁଦ୍ଧା ପ୍ରାୟ ୪୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। କିଛି ଲୋକ ନିଜ ସମ୍ପର୍କୀୟଙ୍କ ଘରକୁ ଚାଲିଯାଉଥିବା ବେଳେ ଆଉ କିଛି ବଙ୍କର ଭିତରେ ଜୀବନ କାଟୁଛନ୍ତି। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଥିଲେ ମଧ୍ୟ ପ୍ରତି ପରିବାରର ଜଣେ ଲେଖାଏଁ ସଦସ୍ୟ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଗୃହପାଳିତ ପଶୁ ଓ ଧନସମ୍ପତ୍ତିର ସୁରକ୍ଷା ପାଇଁ ଘରେ ରହିବାକୁ ପଡିବ ବୋଲି ସେମାନେ କହିଛନ୍ତି।

ଗତ ୫ମାସ ମଧ୍ୟରେ ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମା ନିକଟରେ ୭ ଶହରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏଥିରେ ୧୮ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୨୧ଜଣ ସାଧାରଣ ଲୋକ ପ୍ରାଣ ହରାଇଲେଣି।