ଏମିତି ଏକ ଗାଁ ଯେଉଁଠି ଇଣ୍ଟରନେଟ୍ ମାଗଣା, କିନ୍ତୁ ପିଇବାକୁ ପାଣି ନାହିଁ

ନୂଆଦିଲ୍ଲୀ: ସରକାରୀ ଓ ବେସରକାରୀ ଯୋଜନା ଏବେ ଗାଁ ମୁହାଁ ।  ଗାଁ ଗୁଡ଼ିକୁ ଅଧିକ ଆଧୁନିକ କରିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି । କିନ୍ତୁ ବେଳେବେଳେ ଯୋଜନା ଗୁଡ଼ିକ ଭିତରେ ସମନ୍ୱୟ ନ ରହି କିପରି ଅବସ୍ଥା ହେଉଛି ତାହାର ନମୁନା ଦେଖିବାକୁ ମିଳିଛି ଦିଲ୍ଲୀ ଉପକଣ୍ଠରେ ଥିବା ଏକ ଗାଁରେ।

ଉତ୍ତର ପଶ୍ଚିମ ଦିଲ୍ଲୀର କାଦୀପୁର ଗାଁ ଏ ଗାଁରେ ଲୋକଙ୍କୁ ଇଣ୍ଟରନେଟ୍ ସେବା ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ କରିଛି ଏକ ବେସରକାରୀ ସଂସ୍ଥା।  କେବଳ ଉଦ୍ୟମ ନୁହେଁ, ଚେଷ୍ଟା କରି ଗତ ସୋମବାରଠାରୁ ଏଠାରେ ଇଣ୍ଟରନେଟ୍ ସେବା ଆରମ୍ଭ କରିଛି । ଏହା ଏବେ ପାଲଟିଛି ଦିଲ୍ଲୀର ପ୍ରଥମ ଗାଁ ଯେଉଁଠି ମାଗଣା ୱାଇଫାଇ ଲୋକେ ପାଉଛନ୍ତି। ଗତ ସୋମବାରଠାରୁ ଅନଲିମିଟେଡ ଫ୍ରୀ ୱାଇଫାଇ ର ସୁବିଧା କରିଦିଆ ଯାଇଛି।

କାଦିପୁର ଗାଁକୁ ବିଜେପିର ମନ୍ତ୍ରୀ ମନୋଜ ତିୱାରୀ ୨୦୦୪ ନିର୍ବାଚନ ପରେ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିଲେ। ତା ପୂର୍ବରୁ ଫ୍ରି ୱାଇଫାଇ ପାଇଁ ଆପ୍ ସରକାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କିଛି ହୋଇ ନ ଥିଲା । ଶେଷରେ ଅଢେଇ ବର୍ଷ ପରେ  ମୃଦୁଲ ଓ ସ୍ଥାନୀୟ ପାରିଷଦ ଉର୍ମିଲା ରାଣା ମିଳିତ ଭାବେ ୱାଇଫାଇ ସେବା ଆରମ୍ଭ କରିଛନ୍ତି। ଏହାପାଇଁ ୨୫ଟି ୱାଇଫାଇ ସର୍ଭର୍ ଓ ଗୋଟିଏ ମେନ୍ ୟୁନିଟ ଲଗାଯାଇଛି । ଏହା ମାଧ୍ୟମରେ ଗ୍ରାମବାସୀ ୫ ଏମ୍ବିପିଏସ୍ ସ୍ପିଡ ସହ ୨୪ ଘଣ୍ଟା ନେଟ୍ ସୁବିଧା ପାଇପାରିବେ।

ହେଲେ ଗ୍ରାମବାସୀ ଏଥିରେ ଖୁସି ନାହାଁନ୍ତି। ସେମାନଙ୍କ କହିବା ଅନୁଯାୟୀ, ତାଙ୍କ ପାଇଁ ଇଣ୍ଟରନେଟ୍ ନୁହେଁ, ପାଣି ଦରକାର॥ ଏହି ଗାଁରେ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ବେଳେବେଳେ ଦୁଇଦିନ ଧରି ଗାଁକୁ ପାଣି ଅସେ ନାହିଁ । ତେଣୁ ଗାଁ ଲୋକଙ୍କ କହିବା କଥା ହେଲା, ପାଣି ପାଇଁ ଆମେ ହନ୍ତସନ୍ତ ହେଉଥିବା ବେଳେ ଇଣ୍ଟରନେଟ୍ ସୁବିଧା ଦେଲେ ଅମେ କଣ କରିବୁ । ମଣିଷ ବଂଚିଲେ ସିନା ଇଣ୍ଟରନେଟ୍ ସେବାର ମଜା ଉଠାଇବ।