ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଦେଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ଗୁରୁତର ବ୍ୟାହତ ହୋଇଛି। ଦିନକୁ ଦିନ ସ୍ଥିତି ବିଗିଡ଼ିବାରୁ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି ଜୁନିୟର ଡାକ୍ତରମାନେ ଆନ୍ଦୋଳନରୁ ନ ଉଠିବେ, ତା’ହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମମତା ବାନାର୍ଜୀ ଗୁରୁବାର ଦିନ ୨ଟା ସୁଦ୍ଧା ଆନ୍ଦୋଳନକାରୀଙ୍କୁ କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ। ହେଲେ ଏହି ସମୟସୀମା ପରେ ମଧ୍ୟ ଜୁନିୟର ଡାକ୍ତରମାନେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି।

ଜୁନିୟର ଡାକ୍ତରମାନଙ୍କୁ ହସ୍ପିଟାଲ୍‌ ମଧ୍ୟରେ ମାଡ଼ ମରାଯାଇଥିବାରୁ ଏହାର ପ୍ରତିବାଦରେ ସେମାନେ ଆନ୍ଦୋଳନ କରୁଛନ୍ତି। ୩ ଦିନ ହେଲା ଆନ୍ଦୋଳନ ଯୋଗୁ ବିଭିନ୍ନ ସରକାରୀ ହସ୍ପିଟାଲ୍‌ରେ ରୋଗୀ ସେବା ଠପ ହୋଇଯାଇଛି। ଆଜି ମଧ୍ୟାହ୍ନ ୧୨.୧୦ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌ରେ ପହଞ୍ଚିଥିଲେ।

ହସ୍ପିଟାଲ୍‌ ମଧ୍ୟରେ ରୋଗୀଙ୍କ ବ୍ୟତୀତ ଆଉ କାହାକୁ ନ ଛାଡ଼ିବାକୁ ସେ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ଦିନ ୨ଟା ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ କହିଥିଲେ।

ମମତା ବାନାର୍ଜୀ ଏଭଳି ଆନ୍ଦୋଳନ ପଛରେ ରାଜନୀତିକ ଷଡ଼ଯନ୍ତ୍ର ରହିଥିବା କହିଛନ୍ତି। ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ପଛରେ ବିଜେପି ଓ ସିପିଏମ୍‌ର ହାତ ରହିଥିବା ସେ ଅଭିଯୋଗ କରିଛନ୍ତି। ବିଜେପି ଏହି ଷ୍ଟ୍ରାଇକ୍‌କୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରୁଛି। କିଛି ବାହାର ଲୋକ କଲେଜ୍‌ କ୍ୟାମ୍ପସରେ ପଶି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏହା ପଛରେ ବିରୋଧୀଙ୍କ ହାତ ରହିଥିବା ସେ ଦାବି କରିଛନ୍ତି।