ଧାରା ୩୭୦ ମାମଲାର ସାମ୍ୱିଧାନିକତା ସମୀକ୍ଷା କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ୩୭୦ ଧାରାରେ ସଂଶୋଧନ କରାଯାଇଛି। ରାଷ୍ଟ୍ରପତିଙ୍କ ଆଦେଶ କ୍ରମେ ଏହି ଧାରାରେ ସଂଶୋଧନ କରାଯାଇ ଜାମ୍ମୁକାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରାଯାଇଛି। ଏହା ବିରୋଧରେ ଦାଏର ହୋଇଥିବା ପିଟିସନର ଶୁଣାଣି କରି ସୁପ୍ରିମ କୋର୍ଟ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। କେନ୍ଦ୍ର ସରକାର ୭ ଦିନ ମଧ୍ୟରେ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ୩୭୦ ଧାରା ସଂପର୍କୀତ ସମସ୍ତ ଆବେଦନର ଶୁଣାଣି ଅକ୍ଟୋବର ପ୍ରଥମ ସପ୍ତାହରେ ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି।

ଏବେ ୩୭୦ ଧାରା ସଂଶୋଧନର ସାମ୍ୱାଧାନିକତା ବାବଦରେ ସମୀକ୍ଷା କରିବେ ସୁପ୍ରିମକୋର୍ଟ। ଏଥିପାଇଁ ଜମ୍ମୁ କଶ୍ମୀର ପ୍ରଶାସନ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

ଧାରା ୩୭୦ରେ ହୋଇଥିବା ସଂଶୋଧନକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏମଏଲ ଶର୍ମା, ନେସନାଲ କନଫରେନସର ସାଂସଦ ଅକବର ଲୋନ୍ ଏବଂ ଅବସରପ୍ରାପ୍ତ ବିଚାରପତି ହସନେନ ମସୁଦି।