ପୂର୍ବ ସରକାରକୁ ଦୋଷ ଦେଲେ, ୪୦ ହଜାର ଆତଙ୍କୀ ସକ୍ରିୟ ଥିବା ସ୍ୱୀକାର କଲେ ଇମ୍ରାନ

ୱାଶିଂଟନ୍‌: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନର ଅସଲ ଗୁମର ଖୋଲିଛନ୍ତି ଖୋଦ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ଭାରତ ଆତଙ୍କବାଦ ପ୍ରସଙ୍ଗରେ ଯେଉଁ କଥା କହୁଥିଲା, ସେକଥାକୁ ଇମ୍ରାନ୍‌ ଖାନ୍‌ ସ୍ୱୀକାର କରିଛନ୍ତି।  ପାକିସ୍ତାନରେ ଏକାଧିକ ଆତଙ୍କୀ ସଂଗଠନ ଓ ହଜାର ହଜାର ଆତଙ୍କବାଦୀ ସକ୍ରିୟ ଥିବା କଥା ଶେଷରେ ସ୍ୱୀକାର କରିଛନ୍ତି ଇମ୍ରାନ୍‌। ତେବେ ପାକିସ୍ତାନରେ ଆତଙ୍କବାଦୀ ସକ୍ରିୟ ପାଇଁ ଇମ୍ରାନ୍‌ ତାଙ୍କ ପୂର୍ବରୁ ଦେଶକୁ ଶାସନ କରୁଥିବା ସରକାରଙ୍କ ମୁଣ୍ଡରେ ଦୋଷ ଲଦି ଖସି ଯିବାକୁ ଚେଷ୍ଟା କରିଛନ୍ତି।

ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଇମ୍ରାନ୍‌ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, “ଆଫଗାନିସ୍ତାନ ଓ କଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ କରୁଥିବା ପ୍ରାୟ ୩୦ରୁ ୪୦ ହଜାର ଆତଙ୍କୀ ପାକିସ୍ତାନରେ ସକ୍ରିୟ ରହିଛନ୍ତି। ସେମାନେ ଆଫଗାନିସ୍ତାନ ଓ କଶ୍ମୀରରେ ଯୁଦ୍ଧ କରୁଛନ୍ତି। ଆମ ପାକିସ୍ତାନ- ଇ-ଇନ୍‌ସାଫ୍‌ କ୍ଷମତାକୁ ଆସିବା ପୂର୍ବରୁ ପାକିସ୍ତାନକୁ ଏକାଧିକ ରାଜନୀତିକ ଦଳ ଶାସନ କରିଥିଲେ। ହେଲେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟ କରିବାକୁ କେହି ବି ଇଚ୍ଛା ପ୍ରକାଶ କରି ନଥିଲେ।

ଏହି କାରଣ ପାଇଁ ଏବେ ବି ପାକିସ୍ତାନରେ ୩୦ରୁ ୪୦ ହଜାର ସଶସ୍ତ୍ର ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ୨୦୧୪ରେ ପାକିସ୍ତାନ ତାଲିବାନ ଆତଙ୍କବାଦୀମାନେ ୧୫୦ ଜଣ ଶିଶୁଙ୍କୁ ଆର୍ମି ସ୍କୁଲରେ ହତ୍ୟା କରିଥିଲେ। ଏହାପରେ ସମସ୍ତ ରାଜନୀତିକ ଦଳ ନ୍ୟାଶନାଲ ଆକ୍ସନ ପ୍ଲାନରେ ଦସ୍ତଖତ କରିଥିଲୁ। ପାକିସ୍ତାନ ମାଟିରେ ଆତଙ୍କବାଦୀ କିମ୍ବା ଆତଙ୍କବାଦ କାର୍ଯ୍ୟକଳାପକୁ କୌଣସି ପ୍ରକାରର ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା।

ଆମ ସରାକର କ୍ଷମତାକୁ ଆସିବା ପରେ ଆତଙ୍କବାଦୀ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛୁ। ଆମେ ଏକାଧିକ ଆତଙ୍କୀ ସଂଗଠନ, ସେମାନଙ୍କ ସେମିନାର ଓ କିଛି ଅପରାଧୀଙ୍କୁ ଗିରଫ ମଧ୍ୟ କରିଛୁ। ତେଣୁ ଆତଙ୍କବାଦ ବିରୋଧରେ ଆମ ଲଢ଼େଇ ଜାରି ରହିଛି।”

ଆଉ ଏକ ଇଭେଣ୍ଟରେ ଇମ୍ରାନ୍‌ ଖାନ୍‌ ପାକିସ୍ତାନରେ ୪୦ଟି ଆତଙ୍କୀ ସଂଗଠନ ସକ୍ରିୟ ଥିବା କଥା କହିଥିଲେ। ଏଥିସହ ୧୫ ବର୍ଷ ହେଲା କ୍ଷମତାରେ ଥିବା ସରକାର ଆମେରିକାକୁ ଆତଙ୍କବାଦୀଙ୍କ ସମ୍ପର୍କରେ ଠିକ୍‌ ତଥ୍ୟ ଦେଉ ନଥିଲେ। ଆତଙ୍କବାଦ ବିରୋଧରେ ଆମେରିକା ଲଢ଼ୁଥିବା ଲଢ଼େଇରେ ପାକିସ୍ତାନ ସାମିଲ ହୋଇଥିଲା। ୯/୧୧ ଆତଙ୍କବାଦୀ ହମ୍‌ଲାରେ ପାକିସ୍ତାନର କିଛି ବି କ୍ଷତି ହୋଇ ନଥିଲା। ସେତେବେଳେ ଅଲକାଏଦା ଆଫଗାନିସ୍ତାନରେ ଥିଲା। ପାକିସ୍ତାନରେ କୌଣସି ତାଲିବାନ ଆତଙ୍କୀ ନଥିଲେ। ତଥାପି ଆମେ ଆମେରିକା ସହ ଆତଙ୍କବାଦ ବିରୋଧରେ ଲଢ଼େଇ ଆରମ୍ଭ କରିଥିଲୁ। ଆମ ସରକାରଙ୍କ ବିଫଳତା ଯୋଗୁ ଦେଶରେ ୪୦ଟି ଆତଙ୍କୀ ସଂଗଠନ କାର୍ଯ୍ୟକ୍ଷମ ରହିଛନ୍ତି ବୋଲି ଇମ୍ରାନ୍‌ କହିଛନ୍ତି।

୨୬/୧୧ ହମ୍‌ଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ସମ୍ପର୍କରେ ମତ ଦେଇ ସେ କହିଛନ୍ତି, “ଆମ ସରକାର ପାକିସ୍ତାନରେ ଆତଙ୍କବାଦର ମୂଳପୋଛ କରିବାକୁ ପ୍ରତିଶ୍ରୁତିବଦ୍ଧ। ତେଣୁ ଆମେ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତ୍ସାହନ ଦେଉଥିବା ବ୍ୟକ୍ତିବିଶେଷଙ୍କୁ କେବେ ହେଲେ ଛାଡ଼ିବୁ ନାହିଁ।”