ପାକ୍‌ ହ୍ୱାଟସଆପ୍‌ ଗ୍ରୁପ୍‌ରୁ ରକ୍ଷା ପାଇବା ପାଇଁ ଉପାୟ କହିଲା ସେନା

ନୂଆଦିଲ୍ଲୀ: ପାକିସ୍ତାନର ଚକ୍ରାନ୍ତରୁ ରକ୍ଷା ପାଇବା ପାଇଁ ଆଜି ଭାରତୀୟ ସେନା ଯବାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି। ପାକିସ୍ତାନର କିଛି ସନ୍ଦିଗ୍ଧ ବ୍ୟକ୍ତି ହ୍ୱାଟସ୍‌ଆପ ଗ୍ରୁପ୍‌ କରି ଭାରତୀୟ ଯବାନଙ୍କୁ ଫସାଉଥିବାରୁ ସେନା ପକ୍ଷରୁ ଏହାକୁ ରୋକିବା ପାଇଁ ଉଦ୍ୟମ କରାଯାଇଛି।

ଭାରତୀୟ ଯବାନମାନେ ନିଜର ହ୍ୱାଟ୍‌ସଆପ୍ ସେଟିଂ ଚେଞ୍ଜ୍‌ କରି କେମିତି ପାକିସ୍ତାନୀ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରୁ ରକ୍ଷା ପାଇବେ ସେ ନେଇ ଆଜି ଭାରତୀୟ ସେନା ପକ୍ଷରୁ ଏକ ସର୍ତକତା ମୂଳକ ନିର୍ଦ୍ଦେଶନାମା ଜାରି କରାଯାଇଛି। ହ୍ୱାଟ୍‌ସଆପ୍‌ରେ ସେଟିଂ ଅପସନ୍‌କୁ ଯାଇ ଗୋଟିଏ ଛୋଟିଆ ପରିବର୍ତ୍ତନ କରି ଏଥିରୁ ରକ୍ଷା ପାଇ ହେବ ବୋଲି ଏଥିରେ କୁହାଯାଇଛି।

କେହି ଜଣେ ଦୁର୍ବୃତ୍ତ ଏକ ଶେବା ବହିର୍ଭୁତ ପାକିସ୍ତାନୀ ନମ୍ବର ଦ୍ୱାରା ଭାରତୀୟ ଯବାନଙ୍କୁ ପାକିସ୍ତାନୀ ଗ୍ରୁପ୍‌ରେ ସାମିଲ କରିଥିଲେ। ଗ୍ରୁପ୍‌ରେ ଆପେ ଆପେ ଆଡ୍‌ ହେବା ପରେ ଯବାନ ଜଣକ ଉପସ୍ଥିତି ବୁଦ୍ଧି ଖଟାଇ ସେଥିରୁ ବାହାରି ଯାଇଥିଲେ। ତେବେ ଏହା ପୂର୍ବରୁ ସେ ଏହି ଗ୍ରୁପର ଗୋଟିଏ ସ୍କ୍ରିନ୍‌ ସର୍ଟ ନେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ସେନା ପକ୍ଷରୁ ଏହି ଉପଦେଶନାମା ଜାରି ହୋଇଛି।

ଏହି ପାକିସ୍ତାନୀ ହ୍ୱାଟସଆପ୍‌ ଦ୍ୱାରା ଶତ୍ରୁ ପକ୍ଷ ଯବାନଙ୍କ ସହିତ ତାଙ୍କ ପରିବାରକୁ ମଧ୍ୟ ଟାର୍ଗେଟ୍‌ରେ ରଖିଥାନ୍ତି। ତେବେ କେବଳ ଛୋଟିଆ ସେଟିଂକୁ ପରିବର୍ତ୍ତନ କରି ଏଥିରୁ ରକ୍ଷା ପାଇ ହେବ।

ସେନା ନିର୍ଦ୍ଦେଶନାମା ଅନୁସାରେ, ହ୍ୱାଟ୍‌ସଆପ୍ ସେଟିଂକୁ ଯାଇ> ଆକାଉଣ୍ଟ୍ > ପ୍ରାଇଭେସି > ଗ୍ରୁପ୍‌କୁ ଯାଇ > ମାଇଁ କଣ୍ଟାକ୍ଟ ଅପସନକୁ ଅନ୍ କରିଦିଅନ୍ତୁ। (Settings > Account > Privacy > Group > Change setting to ‘My Contacts’. )

ତେବେ ଏଭଳି ଘଟଣା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ସେନା ଯବାନଙ୍କୁ ପାକିସ୍ତନୀ ଗ୍ରୁପ୍‌ରେ ଆଡ୍‌ କଲା ଭଳି ଘଟଣା ସାମ୍ନାକୁ ଆସିଛି।