ରୋମରେ କାହିଁକି ମୁଣ୍ଡରେ ଓଢ଼ଣି ଦେଲେ ଆମେରିକାର ପ୍ରଥମ ମହିଳା? ରହସ୍ୟ ଉପରୁ ଉଠିଲା ପରଦା

ନୂଆଦିଲ୍ଲୀ: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ସାଉଦି ଆରବ ଗସ୍ତରେ ଯାଇଥିଲେ। ସେଠାରେ ମେଲାନିଆ ତାଙ୍କର ଚିରାଚରିତ ପୋଷାକ ପିନ୍ଧିଥିଲେ। ଏହା ଏକ ମୁସ୍‌ଲିମ୍ ଦେଶ। ସେଠାରେ ସେ ମୁଣ୍ଡରେ ଓଢ଼ଣି ପକାଇ ନ ଥିଲେ। କିନ୍ତୁ ଗତ ବୁଧବାର ରୋମ ଗସ୍ତରେ ଆସିଥିବା ବେଳେ ତାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା।  ବେକରୁ ପାଦ ଢାଙ୍କି ହେବା ଭଳି ଏକ କଳା ରଙ୍ଗର ପୋଷାକ ସେ ପିନ୍ଧିଥିଲେ। ତା’ସହିତ ମୁଣ୍ଡକୁ ଏକ କଳା ରଙ୍ଗର ଓଢ଼ଣିରେ ଢାଙ୍କି ଥିଲେ। କେବଳ ମେଲାନିଆ ନୁହଁନ୍ତି, ଟ୍ରମ୍ପଙ୍କ ଝିଅ ଇଭାନ୍‌କା ମଧ୍ୟ ବେକରୁ ପାଦ ଯାଇ ଢାଙ୍କି ହେବା ଭଳି ପୋଷାକ ପିନ୍ଧିଥିଲେ ଓ ମୁଣ୍ଡରେ ଓଢ଼ଣି ଦେଇଥିଲେ।

ଆମେରିକାର ପ୍ରଥମ ମହିଳାଙ୍କ ମୁଣ୍ଡରେ ଓଢ଼ଣି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ଓ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଅନେକ କହିଥିଲେ ଯେ ସାଉଦି ଆରବରେ ଓଢ଼ଣି ଦେଲେ ନାହିଁ, କିନ୍ତୁ ରୋମରେ ଦେଲେ। ଆଉ ଏ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ତାଙ୍କ ମୁଖପାତ୍ର।

ଇ-ମେଲ୍‌ରେ ତାଙ୍କ ମୁଖପାତ୍ର ଲେଖିଛନ୍ତି, ରୋମରେ ଆମେରିକାର ପ୍ରଥମ ମହିଳା ଭାଟିକାନର ପ୍ରୋଟୋକଲ୍‌କୁ ଅନୁସରଣ କରିଛନ୍ତି। ଯେଉଁମାନେ ପପ୍‌ଙ୍କ ଶ୍ରୋତା ହୋଇ ଯାଆନ୍ତି ସେମାନଙ୍କୁ ଏଭଳି କଳା ରଙ୍ଗର ଲମ୍ବା ପୋଷାକ ଓ ମୁଣ୍ଡରେ ଓଢ଼ଣି ଦେବାକୁ ପଡ଼େ। ଅନ୍ୟପକ୍ଷରେ ଡ୍ରେସ୍ କୋଡ୍ ନେଇ ସାଉଦି ଆରବ ପକ୍ଷରୁ କୌଣସି ପ୍ରକାର ଅନୁରୋଧ କରାଯାଇ ନ ଥିଲା।