କାହିଁକି ବିମାନ ରଙ୍ଗ ଧଳା ହୋଇଥାଏ ? ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଭିନ୍ନ ଭିନ୍ନ ରଙ୍ଗର ବିମାନ ଆପଣ ଖୁବ କମ୍‌ ଦେଖିଥିବେ। କାରଣ ଅଧିକାଂଶ ବିମାନ ଧଳା ରଙ୍ଗର ହୋଇଥାଏ। କେବେ ଭାବିଛନ୍ତି କି ଏପରି କାହିଁକି ହୋଇଥାଏ ? ଏହା ପଛରେ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ଆଜି ଆମେ ଆପଣଙ୍କୁ ଏ ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଅଧିକାଂଶ ବିମାନ ଧଳା କାହିଁକି ହୋଇଥାଏ।

ବିମାନକୁ ଥଣ୍ଡା ରଖିବା ପାଇଁ ସେଥିରେ ଧଳା ରଙ୍ଗ ଦିଆ ଯାଇଥାଏ। କାରଣ ଅନ୍ୟ ରଙ୍ଗ ତୁଳନାରେ ଧଳା ରଙ୍ଗ ରିଫ୍ଲେକ୍ସନ ମାଧ୍ୟମରେ ସୂର୍ଯ୍ୟ କିରଣକୁ ପ୍ରତିହତ କରିପାରେ। ଫଳରେ ବିମାନ ଭିତରେ ଶିତଳତା ବଳବତ୍ତର ରହେ। ଏହାଛଡ଼ା ପ୍ରଖର ସୂର୍ଯ୍ୟ କରିଣରେ ଧଳା ରଙ୍ଗ ଉଡ଼ିଯାଏ ନାହିଁ। ତେଣୁ କମ୍ପାନୀଗୁଡ଼ିକ ବିମାନର ରଙ୍ଗ ଧଳା ରଖିବାକୁ ଅଧିକ ପସନ୍ଦ କରନ୍ତି।

ଅନେକ ସମୟରେ କମ୍ପାନୀଗୁଡ଼ିକ ବିମାନ କିଣା, ବିକା କରୁଥିବାରୁ ବିମାନର ମାଲିକାନା ବଦଳିଥାଏ। ଧଳା ରଙ୍ଗ ଥିବାରୁ ସେଥିରେ କମ୍ପାନୀର ନାମ ବଦଳାଇବା ସହଜ ହୋଇଥାଏ।

ଦ୍ୱିତୀୟ କାରଣ ହେଲା ବିମାନ ଧଳା ରଙ୍ଗର ହୋଇଥିଲେ ପ୍ଲେନ୍‌ରେ ଫାଟ ସୃଷ୍ଟି ହେବା, ଇନ୍ଧନ ଲିକ୍‌ ହେବା ଭଳି ସମସ୍ୟା ସହଜରେ ଜଣାପଡ଼େ। ଫଳରେ ଉଚିତ୍‌ ସମୟରେ ବିମାନ ମରାମତି କରାଯାଇଥାଏ।

ତୃତୀୟ କାରଣ ହେଉଛି ଗୋଟିଏ ବିମାନକୁ ରଙ୍ଗ କରିବାକୁ ହେଲେ ୩ ଲକ୍ଷରୁ ଏକ କୋଟି ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହୋଇଥାଏ। ବାରମ୍ବାର ଏତେ ଟଙ୍କା ଖର୍ଚ୍ଚ କରି ବିମାନ ରଙ୍ଗ ବଦଳାଇବାକୁ ଅନେକ କମ୍ପାନୀ ପସନ୍ଦ କରନ୍ତି ନାହିଁ । ଏଥିପାଇଁ ଏହାର ରଙ୍ଗ ଧଳା ରଖାଯାଇଥାଏ। ଅନ୍ୟ କୌଣସି ରଙ୍ଗ ବ୍ୟବହାର କଲେ ବିମାନର ଓଜନ ବୃଦ୍ଧି ହୋଇଥାଏ। ଏଥିପାଇଁ ଅଧିକ ଇନ୍ଧନ ଖର୍ଚ୍ଚ ହୋଇଥାଏ। ଏହି କାରଣରୁ ବିମାନ ରଙ୍ଗ ଧଳା ରଖାଯାଇଥାଏ।