ମହାକାଶରେ ସ୍ୱଦେଶୀ ସ୍ପେସ୍‌ ଷ୍ଟେସନ୍‌, ଦେଶ ରଚିବ ଇତିହାସ

ନୂଆଦିଲ୍ଲୀ: ମହାକାଶକୁ ଯିବେ ଭାରତୀୟ ମହାକାଶଚାରୀ। ଏଥିପାଇଁ ଆଉ ଆମେରିକା, ରୁଷ୍‌ କିମ୍ବା ଚାଇନାର ସ୍ପେସ୍‌ ଷ୍ଟେସନ୍‌ ଉପରେ ନିର୍ଭର କରିବାକୁ ପଡ଼ିବନି। ଚତୁର୍ଥ ରାଷ୍ଟ୍ର ଭାବରେ ଭାରତ ମହାକାଶରେ ସ୍ଥାପନ କରିବ ନିଜସ୍ୱ ସ୍ପେସ୍‌ ଷ୍ଟେସନ୍‌। ୨୦୩୦ ମସିହା ସୁଦ୍ଧା ଏହି ମିଶନ୍‌ ସମ୍ପୂର୍ଣ୍ଣ ହେବ ଏବଂ ୨୦ ଟନ୍‌ ଓଜନର ସ୍ପେସ୍‌ ଷ୍ଟେସନ୍‌କୁ ମହାକାଶରେ ସ୍ଥାପିତ କରାଯିବ। ଏହା ସମ୍ଭବପର ହେଲେ ଦେଶର ମହାକାଶଚାରୀ ପୃଥିବୀପୃଷ୍ଠରୁ ମାଇଲ ମାଇଲ ଦୂରରେ ୧୫ରୁ ୨୦ ଦିନ ସ୍ପେସ୍‌ ଷ୍ଟେସନ୍‌ରେ ରହି ଗବେଷଣା କରିବେ। ମୁଖ୍ୟତଃ ମାଇକ୍ରୋ ଗ୍ରାଭିଟି ଉପରେଏହି ଗବେଷଣା କରାଯିବ।

‘ମାଇକ୍ରୋଗ୍ରାଭିଟି’ ଉପରେ ଅନ୍ୟ ରାଷ୍ଟ୍ର ମଧ୍ୟ ଗବେଷଣା କରୁଛନ୍ତି। ଆମେରିକାର ‘ନାସା’ର ଏକ ମିଶନ୍‌ରେ ଭାରତୀୟ ବଂଶୋଦ୍ଭବ କଳ୍ପନା ଚାୱଲା ମହାକାଶକୁ ଯାତ୍ରା କରିବା ସହ ସ୍ପେସ୍‌ ଷ୍ଟେସନ୍‌ରେ ରହି ଏହା ଉପରେ ଗବେଷଣା କରିଥିଲେ। ସେ ଦୁଇଥର ମହାକାଶ ଯାତ୍ରା କରିଥିଲେ। ପ୍ରଥମ ଥର ସଫଳ ଭାବରେ ଭାରତ ଫେରିଆସିଥିଲେ ମଧ୍ୟ ଦ୍ୱିତୀୟ ଥର କଲମ୍ବିଆ ମହାକାଶ ଯାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାଇକ୍ରୋଗ୍ରାଭିଟି କାରଣରୁ ପୃଥିବୀ ପୃଷ୍ଠରେ ଅତି ଓଜନିଆ ବସ୍ତୁର ଓଜନ ନକାରାତ୍ମକ ପାଲଟି ଯାଇଥାଏ। ଏହା ପଛରେ ରହିଥିବା ଗଭୀର ରହସ୍ୟ ସମ୍ପର୍କରେ ବିଭିନ୍ନ ଦେଶ ଗବେଷଣା ଚାଲୁ ରଖିଛନ୍ତି।

ଭାରତ ବର୍ତ୍ତମାନ ମାନବ ଯାନ ମିଶନ ‘ଗଗନଯାନ’ ଉପରେ ବିଶେଷ ଦୃଷ୍ଟି ଦେଉଛି। ଏହାପରେ ଭାରତୀୟ ସ୍ପେସ୍‌ ଷ୍ଟେସନ୍‌ ବାବଦରେ ଆହୁରି ତଥ୍ୟ ଆସିବ। ତେବେ ଏହି ମିଶନ୍‌ର ସବୁଠାରୁ ବଡ଼ କଥା ହେଉଛି, ଏଥିରେ ଅନ୍ୟ କୌଣସି ରାଷ୍ଟ୍ରର ସହାୟତା ନିଆଯିବନି।

ଗଗନଯାନ ମିଶନ ପାଇଁ ମୋଟ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ତେବେ ଏହି ମିଶନ ଆରମ୍ଭ ହେବା ପୂର୍ବରୁ ଆନ୍ଧ୍ରପଦେଶର ଶ୍ରୀହରିକୋଟାରୁ ୨ଥର ମାନବ ବିହୀନ ମହାକାଶ ଯାନ ଏବଂ ଥରେ ମାନବ ସହିତ ଯାନ ମହାକାଶକୁ ପ୍ରେରଣ କରାଯିବ।

ତେବେ ଆସନ୍ତା ଦିନରେ ଚନ୍ଦ୍ରଯାନ-୨ ମିଶନ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ଜୁଲାଇ ୧୫ ତାରିଖରେ ଏହି ଯାନ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବ। ଚନ୍ଦ୍ରଯାନ-୧ ଚନ୍ଦ୍ରକୁ ପଠାଯିବାର ୧୦ ବର୍ଷ ପରେ ଇସ୍ରୋ ଏହି ମିଶନ୍‌ ହାତକୁ ନେଇଛି।

ସ୍ପେସ୍‌ ଷ୍ଟେସନ୍‌ ବା ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ୍‌ ଏକ ମହାକାଶଯାନ ଯାହା ବେଶ୍‌ କିଛି ଦିନ ପାଇଁ ମହାକାଶଚାରୀଙ୍କୁ ମହାକାଶରେ ଅବସ୍ଥାପିତ କରିଥାଏ। ଏହା ପୃଥିବୀ ପୃଷ୍ଠରୁ କମ୍‌ ଉଚ୍ଚତାରେ ଏକ କୃତ୍ରିମ ଉପଗ୍ରହ ପରି କାର୍ଯ୍ୟ କରିବ ଏବଂ ପୃଥିବୀ ପୃଷ୍ଠରୁ ଖାଲି ଆଖିରେ ମଧ୍ୟ ଦେଖାଯୁବ। ଏହା ଭିତରେ ମହାକାଶଚାରୀଙ୍କୁ ସତର୍କତାର ସହ ଚଳିବାକୁ ପଡ଼ିଥାଏ, କାରଣ ମାଧ୍ୟାକର୍ଷଣ ଅଭାବରୁ ଏବଂ ମାଇକ୍ରୋଗ୍ରାଭିଟି ପ୍ରଭାବରେ ସେମାନେ ଶୂନ୍ୟରେ ଉଡ଼ିଥାନ୍ତି। ଏପରିକି ଏହି କାରଣରୁ ସେମାନଙ୍କ ଖାଦ୍ୟପଦାର୍ଥରେ ମଧ୍ୟ ସତର୍କତା ଲାଗୁ ହୋଇଥାଏ।