ବିଜେପି ବିଧାୟକଙ୍କ ଅଫିସ୍‌ରେ ମହିଳାଙ୍କ ହଙ୍ଗାମା; କହିଲେ- ପ୍ରେମ କରୁଛି, ଛାଡ଼ିବିନି

ବେଙ୍ଗାଲୁରୁ: ଜଣେ ମହିଳା ନିଜକୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରି ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରେ କରିଥିବା ହଙ୍ଗାମା କଥା ତ ଆପଣମାନେ ଜାଣିଥିବେ। ଏବେ କର୍ଣ୍ଣାଟକର ଜଣେ ବିଜେପି ବିଧାୟକଙ୍କ ସହିତ ବି ଏମିତି ଘଟିଛି। ଜଣେ ମହିଳା ନିଜକୁ ଉକ୍ତ ବିଧାୟକଙ୍କ ପତ୍ନୀ ବୋଲି ଦାବି କରିବା ସହ ତାଙ୍କ ଅଫିସ୍ ବାହାରେ ହଙ୍ଗାମା କରିଛନ୍ତି। ବିଧାୟକଙ୍କ ଅଫିସରରେ ଉପସ୍ଥିତ କର୍ମଚାରୀଙ୍କୁ ସେ ଦୁର୍ବ୍ୟବହାର ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ମହିଳା ଜଣଙ୍କ ବିଧାୟକଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ଝଡ଼ାଇବା ଲକ୍ଷ୍ୟରେ ଅଛନ୍ତି ବୋଲି ତାଙ୍କ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି। ଏହି ମହିଳାଙ୍କ ନାଁ ପ୍ରେମ କୁମାରୀ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ପ୍ରେମ କୁମାରୀ ବିଜେପି ବିଧାୟକ ଏସ୍‌.ଏ ରାମଦାସଙ୍କୁ ଭେଟିବାକୁ ତାଙ୍କ ଅଫିସ୍‌କୁ ଆସିଥିଲେ। ସେ ସେଠାରେ ନିଜକୁ ବିଧାୟକଙ୍କ ପତ୍ନୀ ବୋଲି ପରିଚୟ ଦେଇ ତାଙ୍କୁ ଭେଟିବାକୁ ଚାହିଁଥିଲେ। ତେବେ ବିଧାୟକ ଅଫିସ୍‌ରେ ନଥିବା ନେଇ ତାଙ୍କ କର୍ମଚାରୀମାନେ ସୂଚନା ଦେଇଥିଲେ। ଏହା ପରେ ସେ ରାଗି ଯାଇଥିଲେ ଏବଂ ଜୋରରେ ଚିତ୍କାର କରିଥିଲେ। ସେ ବିଧାୟକଙ୍କ କର୍ମଚାରୀମାନଙ୍କୁ  ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ।

ପ୍ରେମ କୁମାରୀ ସେଠାରେ ଚିଲ୍ଲାଇ ଚିଲ୍ଲାଇ କହିଥିଲେ,“ଯେତେ ଦିନ ପର୍ଯ୍ୟନ୍ତ ମୁଁ ଜୀବିତ ଅଛି, ରାମଦାସକୁ ଛାଡ଼ିବି ନାହିଁ। ମୁଁ ବି ବଡ଼ ପରିବାରରୁ ଆସିଛି। ମୁଁ ତାକୁ ଏମିତି ଛାଡ଼ିବିନି। ମୁଁ ରାମଦାସକୁ ଭଲ ପାଏ। ସେଥିପାଇଁ ନିର୍ବାଚନ ବେଳେ ମୁଁ ମୋ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିଲି। ମୁଁ ତାକୁ ଭେଟିବାକୁ ବହୁତ ଉଦ୍ୟମ କରିଛି, କିନ୍ତୁ ସେ ଫୋନ୍ ଉଠାଉ ନାହିଁ। ମୁଁ ତାକୁ ଛାଡ଼ିବିନି।”

ବିଧାୟକ ରାମଦାସ ତାଙ୍କୁ ବାହା ହୋଇଛନ୍ତି ବୋଲି ପ୍ରେମ କୁମାରୀ ଦାବି କରିଛନ୍ତି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବି ଏହି ମହିଳା ଚର୍ଚ୍ଚାକୁ ଆସିଥିଲେ। ସେ ବିଧାୟକ ରାମଦାସଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଧମକ ଦେଇଥିଲେ। ଅବଶ୍ୟ ପରେ ଓହରି ଯାଇଥିଲେ। ତେବେ ଅଭିଯୋଗ ଆସିଥିଲା ଯେ ରାମଦାସ ତାଙ୍କୁ ନିର୍ବାଚନରୁ ଓହରି ଯିବାକୁ ୫ କୋଟି ଟଙ୍କା ଦେଇଥିଲେ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More