ଇଜ୍ଜତ ପାଇଁ ଜୀବନର ବାଜି: ଦୁଷ୍କର୍ମରୁ ବଂଚିବାକୁ ବାଲକୋନୀରୁ ଡେଇଁଲେ ପୀଡିତା

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷା ପାଇଁ ସରକାର ଆଇନ କଡ଼ାକଡ଼ି କରୁଛନ୍ତି। ହେଲେ ଦୁଷ୍କର୍ମର ମାତ୍ରା କମିବାର ନାଁ ନେଉନି। କେତେବେଳେ ଅସହାୟ ନାରୀଟିଏ ନିଜ ଜୀବନକୁ ହାରି ଦେଉଛି ତ କେତେବେଳେ ଜୀବନ ବଂଚାଇବାକୁ ଜୀବନକୁ ବାଜି ଲଗାଇ ଦେଉଛି। ପୂର୍ବ ଦିଲ୍ଲୀରେ ଏଭଳି ଏକ  ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ୨୮ ବର୍ଷୀୟ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ତେବେ ସଇତାନଙ୍କ କବଳରୁ ନିଜକୁ ବଂଚାଇବାକୁ ସେ ବାଲକୋନୀରୁ ଡେଇଁ ପଡିଥିଲେ। ପୁରା ଘଟଣା ସଂପର୍କରେ ପୀଡିତା ପୋଲିସକୁ କହିବା ପରେ ଏହା ଦିଲ୍ଲୀରେ ଚର୍ଚ୍ଚା ସୃଷ୍ଟି କରିଛି।

ପୋଲିସ୍‌ ଏହି ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତିନିଜଣ ଅଭିଯୁକ୍ତ ବିପିଓରେ କାମ କରୁଥିବା ବେଳେ ଜଣେ ପୂର୍ବ ଦିଲ୍ଲୀରେ ଫାଇନାନ୍ସ କମ୍ପାନୀରେ କାମ କରନ୍ତି। ଆଉ ଜଣେ ଅଭିଯୁକ୍ତ ବେକାରୀ ବୋଲି ଜଣାପଡ଼ିଛି।

ମହିଳା ଜଣଙ୍କ କହିଛନ୍ତି,“ଶନିବାର ରାତିରେ ଜଣେ ପରିଚିତ ଲୋକଙ୍କୁ ମୁଁ ଦେଖାକରିବା ପାଇଁ ପୂର୍ବ ଦିଲ୍ଲୀ ଯାଇଥିଲି। ପରିଚିତ ଲୋକ ମୋତେ କାରରେ ଘରେ ଛାଡ଼ି ଦେବାକୁ କହିଥିଲେ। କାରରେ ଆଉ ଦୁଇ ଜଣ ଥିଲେ। ସେମାନେ  ପ୍ରଥମେ ମୋତେ ପାଣ୍ଡବ ନଗର ନେଇ ଯାଇଥିଲେ। ପରେ ମୋତେ ଭଡ଼ା ଘରକୁ ନେଇ ଆଣି ଦୁଷ୍କର୍ମ କରିଥିଲେ। ”