ରାକ୍ଷୀ ପୂର୍ଣ୍ଣିମାରେ ବାପ ଘରକୁ ଆସିଲା ଝିଅର ଆତ୍ମହତ୍ୟା ଖବର

ଲକ୍ଷ୍ନୌ: ରାକ୍ଷୀ ବାନ୍ଧିବା ପାଇଁ ବାପଘରକୁ ଯିବାକୁ ସ୍ୱାମୀ ନଛାଡ଼ିବାରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉତ୍ତର ପ୍ରଦେଶ ହରଦୋଇରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ମୃତକଙ୍କ ନାମ ଅନାମିକା (୩୨), ତାଙ୍କ ସ୍ୱାମୀଙ୍କ ନାମ ଅଂଶୁଳ ସିଂହ। ତାଙ୍କର ୮ ବର୍ଷର ଜଣେ ପୁଅ ଅହମ ଏବଂ ୬ ମାସର ଝିଅ ଆରଭ ରହିଛି। ଅଂଶୁଳଙ୍କର ଏକ ଇଲେକଟ୍ରୋନିକ୍ସ ଦୋକାନ ରହିଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଅଂଶୁଳ ସିଂହ ଘରୁ ବାହାରକୁ ଯିବା ବେଳେ ତାଙ୍କ ସ୍ତ୍ରୀ ଅନାମିକାଙ୍କୁ ରକ୍ଷା ବନ୍ଧନ ଉତ୍ସବ ତାଙ୍କ ବାପଘରକୁ ଯିବା ପାଇଁ ବାରଣ କରିଥିଲେ। ଏହାପରେ ଅନାମିକା ଘରେ ଥିବା ସିଲିଂ ଫ୍ୟାନରୁ ଶାଢ଼ୀରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମାଆର ଝୁଲନ୍ତା ଶରୀରକୁ ଦେଖି ପୁଅ ଅହମ ପାଖ ଘରକୁ ଦୌଡ଼ିଯାଇ ଖବର ଦେଇଥିଲା।

ଏହାପରେ ପଡୋ଼ଶୀ ଲୋକେ ଆସି ପୁଲିସକୁ ଖବର ଦେଇଥିଲେ। ଅନାମିକାଙ୍କ ବାପଘର ଲୋକେ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ ଥାନାରେ ଅନାମିକାଙ୍କ ସ୍ୱାମୀଙ୍କ ନାଁରେ କୌଣସି ଏତଲା ଦେଇନଥିବା ଜଣାପଡ଼ିଛି।