ଟଏଲେଟ୍ ଭାବି ବିମାନର ଇମର୍ଜେନ୍ସି ଏକ୍‌ଜିଟ୍‌ ଡୋର୍ ଖୋଲିଦେଲେ ମହିଳା

ଇସ୍‌ଲାମାବାଦ: ଏକ ପାକିସ୍ତାନୀ ବିମାନ ଉଡ଼ାଣ ଭରିବା ସମୟରେ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ଯାତ୍ରୀ ଟଏଲେଟ୍‌ ଭାବି ବିମାନର ଇମର୍ଜେନ୍ସି ଏକ୍‌ଜିଟ୍‌ ଡୋର୍ ଖୋଲିଦେବାରୁ ବିମାନର କର୍ମଚାରୀ ଏବଂ ଯାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି।

ଏହା ମାଞ୍ଚେଷ୍ଟର ବିମାନବନ୍ଦରରୁ ଉଡ଼ାଣ ଭରୁଥିଲା। ମହିଳା ଜଣକୁ କାହାକୁ କିଛି ନପଚାରି ବିମାନର ଇମର୍ଜେନ୍ସି ଏକ୍‌ଜିଟ୍‌ ଡୋର ପାଇଁ ଉଦ୍ଦିଷ୍ଟ ବଟନ୍‌ ଦବାଇଦେଇଥିଲେ। ଏହି ବିମାନ କମ୍ପାନୀର ମୁଖପାତ୍ରଙ୍କ କହିବା ଅନୁଯାୟୀ, ଏହି ପିଆଇଏ ବିମାନ ପିକେ ୭୦୨ ମଡେଲର ଥିଲା। ଏହା ଇସଲାମାବାଦକୁ ଉଡ଼ାଣ କରୁଥିଲା। ଜଣେ ଯାତ୍ରୀ ଭୁଲରେ ଏପରି କରିବାରୁ ଇମର୍ଜେନ୍ସି ଏକ୍‌ଜିଟ୍‌ ଡୋର ଖୋଲିଯାଇ ଇମର୍ଜେନ୍ସି ଚ୍ୟୁଟ୍‌ ଆକ୍ଟିଭେଟ୍ ହୋଇଯାଇଥିଲା।

ଏପରି ଘଟଣା ଘଟିବା ପରେ ୪୦ ଜଣ ଯାତ୍ରୀଙ୍କୁ ସେମାନଙ୍କ ଜିନିଷପତ୍ର ସହିତ ଓହ୍ଲାଇବାକୁ ପଡ଼ିଥଇଲା। ଏହାପରେ ସେମାନଙ୍କୁ ଗାଡ଼ି ଏବଂ ହୋଟେଲ ବ୍ୟବସ୍ଥା ଯୋଗାଇଦିଆଯାଇଥିଲା। ପରେ ସେମାନଙ୍କୁ ଅନ୍ୟ ଏକ ବିମାନରେ ଇସଲାମାବାଦ ପଠାଯାଇଥିଲା। ଏହି ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।