ସିରିଏଲ୍‌ରେ ସୁଯୋଗ ଦେବେ କହି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ନକଲି ଟିଭି ପ୍ରଡ୍ୟୁସର

ହାଇଦ୍ରାବାଦ: ତେଲେଙ୍ଗାନାର ସାଇବର ଅପରାଧ ଶାଖା ଏଭଳି ଜଣେ ମହିଳାଙ୍କୁ ଗିରଫ କରିଛି ଯିଏ ନିଜକୁ ଇଟିଭି ଚ୍ୟାନେଲର ପ୍ରଡ୍ୟୁସର-ଡାଇରେକ୍ଟର କହି ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଥିଲେ। ପୁଲିସ୍‌ ପକ୍ଷରୁ କୁହାଯାଇଛି, ୱାଇ ଶୀତଲା ନାମକ ଏହି ମହିଳା ‘ଶ୍ରୀଦେବୀ ତୁମ୍‌ଲା’ ନାମରେ ଏକକ ଫେକ୍‌ ଫେସବୁକ୍‌ ଆଇଡି ଓ ପେଜ ଖୋଲିଥିଲେ। ଏ ବିଷୟରେ ଜାଣିବା ପରେ ତାଙ୍କ ନାମରେ ଇନାଡ଼ୁ ଟେଲିଭିଜନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବିଭିଆର ମୂର୍ତ୍ତି ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ଧରା ପଡ଼ିବା ପରେ ମହିଳା ଜଣକ କହିଥିଲେ, ସେ ନିୟମିତ ତେଲୁଗୁ ସିରିଏଲ୍‌ ଦେଖିଥାନ୍ତି ଏବଂ କେତେଜଣ ତେଲୁଗୁ ଅଭିନେତ୍ରୀଙ୍କ ଅଭିନୟରେ ସେ ପ୍ରଭାବିତ ହୋଇଥିଲେ। ୨୦୧୮ ମସିହାରେ ସେ ଥରେ ଶ୍ରୀଦେବୀ ତୁମ୍‌ଲା ନାମଟି ଇଟିଭିରେ ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କ ମନରେ ଏହି ଫେକ୍‌ ଆଇଡି ଖୋଲିବାର ଦୁର୍ବୁଦ୍ଧିଟି ପଶିଥିଲା। ସେ ଟିଭିରେ ଅଭିନୟ କରିବାକୁ ଆଗ୍ରହୀ ଯୁବକ ଯୁବତୀଙ୍କୁ ଅଭିନୟ ପାଇଁ ସୁଯୋଗ ଦେବେ କହି ଆଶାୟୀଙ୍କୁ ଲୁଟିବା ଆରମ୍ଭ କରିଥିଲେ। ଏହି ଟଙ୍କାରେ ସେ ତାଙ୍କର ବିଳାସମୟ ଜୀବନ ଆରମ୍ଭ ହୋଇଥିବା କଥା ସେ ନିଜେ ସ୍ୱୀକାର କରିଛନ୍ତି।

ସେ ପ୍ରଥମେ ଏହି ‘ଶ୍ରୀଦେବୀ ତୁମ୍‌ଲା’ ଆକାଉଣ୍ଟ ଖୋଲିବା ପରେ ସେଥିରୁ ତାଙ୍କ ପ୍ରିୟ ଅଭିନେତ୍ରୀ ନିଶାମା, ଶିରିଶା, କରୁନା ଏବଂ ଅନ୍ୟ ମାନଙ୍କ ସହ ଚ୍ୟାଟିଂ କରିବା ଆରମ୍ଭ କରିଥିଲେ। ତାଙ୍କ ଫ୍ରେଣ୍ଡଲିଷ୍ଟରେ ଏମାନଙ୍କ ନାମ ଦେଖି ଯେକେହି ତାଙ୍କୁ ବଡ଼ ଟିଭି ପ୍ରଡ୍ୟୁସର ବୋଲି ବିଶ୍ୱାସ କରିଯିବା ସହଜ ଥିଲା।

ଜଣେ ଆଶାୟୀ ଅଭିନେତ୍ରୀଙ୍କ ଠାରୁ ସେ ଏଭଳି ଉପାୟରେ ୫୦ ହଜାର ଟଙ୍କା ଏବଂ ଜଣେ ଅଭିନେତାଙ୍କୁ ସୁଯୋଗ ଦେବେ କହି ୬ ଲକ୍ଷ ଟଙ୍କା ଲୁଟିଥିଲେ। କ୍ରାନ୍ତି କୁମାର ନାମକ ଏହି ବ୍ୟକ୍ତିଙ୍କୁ ସେ ପ୍ରେମରେ ଫସାଇଥିଲେ। ସେ ଅନ୍ୟ ମହିଳାଙ୍କ ଫଟୋ ସବୁ ପଠାଇ ଏହି ବ୍ୟକ୍ତିଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ ଏବଂ ବିଭିନ୍ନ ସମୟରେ ମୋଟ ୬ ଲକ୍ଷ ଟଙ୍କା ଲୁଟିନେଇଥିଲେ।