ସରକାରୀ ସେବା ପାଇବାକୁ ଦେଶର ୫୪% ମହିଳାଙ୍କୁ ଲାଞ୍ଚ ଦେବାକୁ ପଡ଼େ

ନୂଆଦିଲ୍ଲୀ: ସରକାରୀ ସେବା ପାଇବା ପାଇଁ ଭାରତରେ ୫୪ ପ୍ରତିଶତ ମହିଳା ଲାଞ୍ଚ ଦିଅନ୍ତି। ୩୩ ପ୍ରତିଶତ ମହିଳା କହିଛନ୍ତି ଯେ ସରକାରୀ କର୍ମଚାରୀମାନେ ସେମାନଙ୍କୁ ହଇରାଣ କରିବା ପାଇଁ ବାରମ୍ବାର ଡାକନ୍ତି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସ୍‌ନାଲ୍‌ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସଂସ୍ଥା ପକ୍ଷରୁ “The Gender Dimension of Corruption: Issues and Challenges” ନାମକ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ମୋଟ ୪,୬୦୦ ଜଣ ମହିଳାଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମହିଳାଙ୍କୁ ସର୍ଭେରେ ସାମିଲ କରାଯାଇଥିଲା।
ଏହି ରିପୋର୍ଟରେ କୁହାଯାଇଛି ଯେ ୩୮ ପ୍ରତିଶତ ନାଗରିକ କହିଛନ୍ତି ଯେ ବଡ଼ ପଦପଦବୀରେ ଅଧିକ ସଂଖ୍ୟାରେ ମହିଳା ରହିଲେ ଲାଞ୍ଚ କାରବାର କମି ଯିବ। ୩୭ ପ୍ରତିଶତ ଲୋକ କହିଛନ୍ତି ଯେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଦୁର୍ନୀତିଗ୍ରସ୍ତ। ଅନ୍ୟପକ୍ଷରେ ୫୭ ପ୍ରତିଶତ ଲୋକ କହିଛନ୍ତି ଯେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଲାଞ୍ଚ ନିଅନ୍ତି। ସେହିଭଳି ୩୫ ପ୍ରତିଶତ ମହିଳା କହିଛନ୍ତି ଯେ ସରକାରୀ ସେବା ପାଇବା ପାଇଁ ସେମାନଙ୍କୁ ସିଧାସଳଖ ଲାଞ୍ଚ ଦେବାକୁ କୁହାଯାଉଛି। ସହରାଞ୍ଚଳ ମହିଳାଙ୍କୁ ଅଧିକ ଲାଞ୍ଚ ମଗାଯାଏ ନାହିଁ। ୯୩ ପ୍ରତିଶତ ମହିଳା ସୂଚନା ଅଧିକାର ଆଇନ ବିଷୟରେ ସଚେତନ ନାହାଁନ୍ତି।