ନୀଳ ଆକାଶରେ ନାରୀଶକ୍ତି: ମହିଳା କ୍ର୍ୟୁଙ୍କୁ ନେଇ ଉଡାଣ ଭରିଲା ବୋଇଂ-୭୭୭

ନୂଆଦିଲ୍ଲୀ: ବୁଧବାର ବିଶ୍ୱ ମହିଳା ଦିବସ ପୂର୍ବରୁ ଏୟାର ଇଣ୍ଡିଆର ମହିଳା କ୍ର୍ୟୁ ମେମ୍ବର ମାନେ ନାରୀଶକ୍ତିର ପରିଚୟ ଦେଇଛନ୍ତି। ଗତ ସପ୍ତାହରେ ଦିଲ୍ଲୀରୁ ସାନ୍‌ ଫାନ୍‌ସିସ୍‌କୋ ଯାଇ ଫେରିଥିବା ଏୟାର ଇଣ୍ଡିଆର ବୋଇଂ-୭୭୭ର ସମସ୍ତ କ୍ର୍ୟୁ ମେମ୍ବର ମହିଳା ଥିଲେ। ଏହା ଏକ ବିଶ୍ୱ ରେକର୍ଡ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ପୂର୍ବରୁ ବିଶ୍ୱରେ କୌଣସି ଉଡାଣର ସମସ୍ତ କର୍ମଚାରୀ ମହିଳା ନ ଥିଲେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

କମ୍ପାନୀ ମୁଖପାତ୍ର ଜିପି ରାଓ କହିଛନ୍ତି,“ଏହି ଉଡାଣରେ ସାମିଲ ହୋଇଥିବା ସମସ୍ତ କର୍ମଚାରୀ ମହିଳା ଥିଲେ। ପାଇଲଟ୍‌ଙ୍କ ଠାରୁ ଆରମ୍ଭ କରି ସୁରକ୍ଷା ଯାଞ୍ଚ ଓ କ୍ୟାବିନ କ୍ର୍ୟୁର ସଦସ୍ୟମାନେ ସମସ୍ତେ ମହିଳା ଥିଲେ। ଏପରିକି ଦିଲ୍ଲୀରେ ଥିବା ଟ୍ରାଫିକ୍‌ କଣ୍ଟ୍ରୋଲର ମଧ୍ୟ ମହିଳା ଥିଲେ। ଦିଲ୍ଲୀରୁ ସାନ୍‌ ଫାନ୍‌ସିସ୍‌କୋ ଯାଇ ଗତ ୩ ତାରିଖରେ ବୋଇଂ-୭୭୭ ଫେରିଥିଲା।”

ରାଓ ଆହୁରି କହିଛନ୍ତି ଯେ,“ଗୁରୁବାର ବିଶ୍ୱ ମହିଳା ଦିବସକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଚଳିତ ସପ୍ତାହ ମହିଳା କ୍ର୍ୟୁ ମେମ୍ବରଙ୍କୁ ନେଇ ଅଧିକରୁ ଅଧିକ ଉଡାଣ କରିବ।”

କିଛି ବର୍ଷେ ହେବ ଏୟାର ଇଣ୍ଡିଆ କର୍ମଚାରୀଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ଆଣିବାକୁ ଏକାଧିକ ପଦକ୍ଷେପ ନେଇଛି।