‘ମୁସଲିମ୍‌ ପ୍ରଭାକରନ୍‌’ ଜନ୍ମହେବାକୁ ଦେବାନି:ସିରିସେନା

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା ସମସ୍ତ ଧର୍ମାବଲମ୍ବୀଙ୍କ ମଧ୍ୟରେ ଏକତା ପାଇଁ ଆହ୍ୱାନ କରି କହିଛନ୍ତି, ଆମେ ଆଉ ଜଣେ ‘ମୁସଲିମ୍‌ ପ୍ରଭାକରନ୍‌’ ଜନ୍ମ ହେବାକୁ ଦେବାନି। ଇଷ୍ଟର ରବିବାର ବିସ୍ଫୋରଣକୁ ନେଇ ସେ ଏଭଳି ମତ ରଖିଛନ୍ତି। ଉଗ୍ରବାଦୀ ସଂଗଠନ ଏଲ୍‌ଟିଟିଇ ଗଡ଼ ଭାବେ ଦିନେ ପରିଚିତ ଥିବା ମୁଲ୍ଲାଇଟିଭୁ ନାମକ ସ୍ଥାନରେ ମୈଥ୍ରୀପାଲ ଆଜି ଏହି ମନ୍ତବ୍ୟ ଦେଇଛନ୍ତି। ସେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ପରସ୍ପର ମଧ୍ୟରେ ବିଭେଦ ରଖି ଜଣେ ‘ମୁସଲିମ୍‌ ପ୍ରଭାକରନ୍‌’କୁ ଜନ୍ମ ନେବାର ସୁଯୋଗ ସୃଷ୍ଟି କରନ୍ତୁନି।

ଶ୍ରୀଲଙ୍କାର ପୂର୍ବ ଏବଂ ଉତ୍ତରରେ ସ୍ୱତନ୍ତ୍ର ତାମିଲ ରାଷ୍ଟ୍ର ଗଠନ ପାଇଁ ଭି ପ୍ରଭାକରନ୍ ନେତୃତ୍ୱରେ ଏଲ୍‌ଟିଟିଇ ଦୀର୍ଘ ବର୍ଷ ଧରି ଗୃହଯୁଦ୍ଧ ଚଳାଇଆସିଥିଲା। ୨୦୦୯ରେ ଶେଷ ପର୍ଯ୍ୟୟରେ ପହଞ୍ଚିଥିବା ଏହି ଗୃହଯୁଦ୍ଧରେ ୧୦ ହଜାର ଲୋକଙ୍କ ଜୀବନ ଯାଇଥିଲା।

ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ସିରିସେନା କହିଛନ୍ତି, ଯଦି ଆମେ ବିଭାଜିତ ହୋଇଯିବା, ତା’ହେଲେ ଦେଶ ପାଇଁ ଏହା ପରାଜୟର କାରଣ ହେବ। ପୁଣି ଆଉ ଏକ ଯୁଦ୍ଧ ଜନ୍ମ ନେବ। ଦେଶର ସମସ୍ତ ରାଜନେତା ଏବେ ନିର୍ବାଚନ ଚିନ୍ତାରେ। କାହାରିକୁ ମଧ୍ୟ ଦେଶର ଚିନ୍ତା ନାହିଁ। ଏଭଳି ମନୋଭାବ ହିଁ ଦେଶକୁ ଆଗେଇବାରେ ବାଧା ସୃଷ୍ଟି କରୁଛି ବୋଲି ସେ କହିଥିଲେ। ତାମିଲମାନଙ୍କ ସମସ୍ୟା ସମ୍ପର୍କରେ ସେ ଅବଗତ ଏବଂ ଏହାର ସମାଧାନ ନିଶ୍ଚୟ କରାଇବେ ବୋଲି ପ୍ରତିଶ୍ରୁତି ଦେଇ ଉଗ୍ରବାଦ ପାଇଁ ସୁଯୋଗ ସୃଷ୍ଟି ନକରିବାକୁ ଶ୍ରୀ ସିରିସେନା ଆହ୍ୱାନ କରିଛନ୍ତି।