ଆକାଶରେ ଉଡ଼ିଲା ବିଶ୍ୱର ସର୍ବବୃହତ ବିମାନ

ୱାଶିଂଟନ: ପରୀକ୍ଷାମୂଳକ ଭାବରେ ଉଡ଼ାଣ ଭରିବାରେ ସଫଳ ହୋଇଛି ବିଶ୍ୱର ସର୍ବବୃହତ୍‌ ବିମାନ ଷ୍ଟ୍ରାଟୋଲଞ୍ଚ୍‌ । ‘ସ୍କେଲ୍‌ଡ୍‌ କମ୍ପୋଜାଇଟ୍‌’ ନାମକ ଏକ କମ୍ପାନୀ ଦ୍ୱାରା ଏହି ବିମାନ ତିଆରି କରାଯାଇଛି।

ଶନିବାର ସକାଳ ୬ଟା ୫୮ରେ ମୋଜାଭେ ମରୁଭୂମି ଉପରେ ଏହି ବିମାନଟି ଉଡ଼ାଣ ଭରିବାରେ ସଫଳ ହୋଇଥିଲା। ଏହା ପ୍ରାୟ ଅଢ଼େଇ ଘଣ୍ଟା ଧରି ମୋଜାଭେ ମରୁଭୂମି ଉପରେ ଉଡ଼ିଥିଲା। ବିମାନଟି ମହାକାଶକୁ ଯାଇ ସାଟେଲାଇଟ୍‌ ଗୁଡ଼ିକୁ ଧ୍ୱଂସ କରିପାରିବାର କ୍ଷମତା ରଖିଥିବା ଜଣାପଡ଼ିଛି।

ଏହି ବିମାନର ସ୍ୱତନ୍ତ୍ରତା ହେଲା, ଏଥରେ ଦୁଇଟି ବଡ଼ି ରହିଛି। ଏହାର ଲମ୍ବ ୨୩୮ ଫୁଟ୍‌। ବିମାନରେ ଲାଗିଥିବା ଡେଣାର ଲମ୍ବ ୩୮୫ ଫୁଟ୍ (ଆମେରିକାର ଫୁଟବଲ୍ ପଡ଼ିଆଠୁ ବି ବଡ଼)। ଏଥିରେ ୬ଟି ବୋଇଂ ୭୪୭ ଇଞ୍ଜିନ୍‌ ଲାଗିଛି। ଘଣ୍ଚାପ୍ରତି ଏହି ବିମାନର ବେଗ ୩୦୨.୪ କିଲୋମିଟର ରହିଥିବା ବେଳେ ଏହା ୧୭ ହଜାର ଫୁଟ୍‌ ଉଚ୍ଚରେ ଉଡ଼ିପାରିବାର କ୍ଷମତା ରଖିଛି।

ଷ୍ଟ୍ରାଟୋଲଞ୍ଚର ସିଇଓ ଜେଏନ ଫ୍ଲୋୟେଡ୍ ଏହାକୁ ଅତି ଚମତ୍କାର ବିମାନ ବୋଲି କହିଛନ୍ତି। ଏହି  ବିମାନ ତିଆରି କରିବା ପାଇଁ ସହଯୋଗର ହାତ ବଢ଼ାଇଥିବା ଅନ୍ୟତମ ସହଯୋଗୀ ନର୍ଥରୂପ୍‌ ଗୃମ୍ମନ ସ୍କେଲଡ କମ୍ପୋଜିଟ୍‌ସ, ମୋଜାଭେ ଏୟାର ଏବଂ ସ୍ପେଶ୍ ପୋର୍ଟକୁ ସେ ଧନ୍ୟବାଦ୍ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଏହି ବିମାନଟି ତିଆରି କରିବା ପଛରେ ଥିଲେ ସଫ୍ଟୱାୟାର କମ୍ପାନୀ ମାଇକ୍ରୋସଫ୍ଚର ସହ ସଂସ୍ଥାପକ ତଥା ପ୍ରତିଷ୍ଠାତା ବିଲ୍ ଗେଟସଙ୍କ ସ୍ୱର୍ଗତ ବନ୍ଧୁ ପାଉଲ ଆଲେନ। ମହାକାଶକୁ ବିମାନ ଯିବା ପାଇଁ ପ୍ରଥମେ ପାଉଲ ଆଲେନ ଚିନ୍ତା କରିଥିଲେ ବୋଲି ନାସାର ଜଣେ ବୈଜ୍ଞାନିକ ଟ୍ୱିଟ୍‌ କରି କହିଛନ୍ତି।