ବିବାହ ପାଇଁ ଲିଖିତ ପରୀ‍କ୍ଷା: କିଏ ପାସ୍ କିଏ ଫେଲ୍‌ ? ପଢନ୍ତୁ ଏହି ରିପୋର୍ଟ

ଉତ୍ତରପ୍ରଦେଶ:  ସବୁକିଛି ଠିକ୍ ହୋଇସାରିଥିଲା। ବିବାହ ପାଇଁ ଦୁହେଁ ଦୁହିଁଙ୍କୁ ପସନ୍ଦ ମଧ୍ୟ କରି ସାରିଥିଲେ। ପୁଅ ଓ ଝିଅ ପରସ୍ପରକୁ ଜୀବନସାଥୀ ରୂପେ ପାଇ‍ବା ପାଇଁ ସ୍ଥିର ମଧ୍ୟ କରିଥିଲେ। ମାତ୍ର ହଠାତ୍‌ ଏହି ଖୁସି ମାହୋଲରେ ଲାଗିଗଲା ଚନ୍ଦ୍ରଗ୍ରହଣ। ତାହା ପୁଣି ଏକ ଲିଖିତ ପରୀକ୍ଷା ପାଇଁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରେଦେଶରେ।

ସାଧାରଣତଃ ବିବାହ ପୂର୍ବରୁ ପୁଅ ଓ ଝିଅ ପରସ୍ପରକୁ ଜାଣିବା ପାଇଁ ଏକାନ୍ତରେ କିଛି ସମୟ ବିତାଇଥାନ୍ତି। ଜୀବନସାଥୀଟିଏ ବାଛିବା ପୂର୍ବରୁ ପୁଅ ଓ ଝିଅ ପରସ୍ପରକୁ କିଛି ପ୍ରଶ୍ନ ପଚାରିଥାନ୍ତି। ଠିକ୍‌ ସେହିପରି ଫାରୁଖାବାଦର ଯୁବକ ବିବାହ ପ୍ରସ୍ତାବ ଦେଖିବାକୁ ଅସିଥିବା କୁରାବଳୀର ଯୁବତୀଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ମାତ୍ର ଏତିକିରେ ମନ ମାନି ନଥିଲା ଯୁବକଙ୍କର। ନିଜ ଗୋଡ଼ରେ କୁରାଢୀ ମାରିବା ପରି ଝିଅଟିର ଜ୍ଞାନ ପରୀକ୍ଷା କରିବାକୁ ଲିଖିତ ଆକାରରେ ନିଜର ପରିଚୟ ଓ କିଛି କଠିନ ଶବ୍ଦ ଲେଖିବାକୁ କହିଥିଲେ। ଝିଅଟି ଏହି ଜ୍ଞାନ ପରୀକ୍ଷାରେ ପାସ୍‌ ହେବା ପରେ ଯୁବକ ବିବାହ ପାଇଁ ସମ୍ମତି ଜଣାଇଥିଲା।

ମାତ୍ର ଏହି ଲିଖିତ ପରୀକ୍ଷା ଯୁବତୀର ଜ୍ଞାନ ଓ ସ୍ୱାଭିମାନ ଉପରେ ଉଠାଇଥିଲା ପ୍ରଶ୍ନବାଚୀ। ଯାହା ପସନ୍ଦ ଆସି ନଥିଲା ଯୁବତୀ ଜଣକୁ। ଯେସାକୁ ତେସା ନୀତିରେ ବିବାହ ପୂର୍ବରୁ ଯୁବତୀ ଜଣକ ମଧ୍ୟ ନେଇଥିଲେ ଯୁବକଙ୍କର ଲିଖିତ ପରୀକ୍ଷା। ଯୁବକଙ୍କୁ  ନିଜ ପରିଚୟ ସହ କିଛି କଠିନ ଶବ୍ଦ ଲେଖିବାକୁ କହିଥିଲେ ଯୁବତୀ। ମାତ୍ର ବିବାହ ପୂର୍ବରୁ ଏହି ଲିଖିତ ପରୀକ୍ଷାରେ ଫେଲ୍‌ ମାରିଲେ ଯୁବକ। ବାସ୍ ଯୁବତୀ ଜଣକ ଯୁବକଙ୍କୁ ରୋକ୍‌ଠୋକ ମନା କରିଦେଲେ ବିବାହ କରିବା ପାଇଁ। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି ଉତ୍ତରପ୍ରଦେଶର କୁରାବଳୀ ଅଞ୍ଚଳରେ।

news Courtesy: ndtv

Pic courtesy: howtogettheguy.com