କଂଗ୍ରେସ ମୁଖପାତ୍ର ପଦ ପାଇଁ ହେଲା ପରୀକ୍ଷା; ନେତା ଝାଳନାଳ

ଲକ୍ଷ୍ମୌ: ଶୁଣିଲେ ଆଶ୍ଚର୍ଯ୍ୟ ହେବେ ରାଜ୍ୟ ମୁଖପାତ୍ର ପଦ ପାଇଁ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହୋଇଛି ଲିଖିତ ଓ ମୌଳିକ ପରୀକ୍ଷା। ଆଉ ଏହି ପରୀକ୍ଷାର ପରୀକ୍ଷାର୍ଥୀ ଥିଲେ ଅନେକ କଂଗ୍ରେସ ନେତା ଓ ପୂର୍ବତନ ମୁଖପାତ୍ର। ଗତକାଲି ଉତ୍ତରପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ରାଜ୍ୟ ମୁଖପାତ୍ର ପଦ ପାଇଁ ଏହି ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ଏନେଇ ପୂର୍ବରୁ କୌଣସି ସୂଚନା ନଥିବାରୁ ପ୍ରଶ୍ନପତ୍ର ଦେଖି ନେତାମାନେ ଝାଳନାଳ ହୋଇ ଯାଇଥିଲେ। ଆଉ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଲକ୍ଷ୍ମୌର ପିସିସି କାର୍ଯ୍ୟାଳୟରେ ହୋଇଥିବା ଏହି ପରୀକ୍ଷାରେ କଂଗ୍ରେସ କର୍ମୀଙ୍କୁ ଛୋଟ ଓ ବଡ଼ ପ୍ରଶ୍ନର ଲିଖତ ଉତ୍ତର ଦେବାକୁ ପଡ଼ିଥିଲା। ଏହାପରେ ସେମାନେ ଏକ ଇଣ୍ଟରଭ୍ୟୁର ମଧ୍ୟ ସାମ୍ନା କରିଥିଲେ।  କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଓ ରାଷ୍ଟ୍ରୀୟ ସଂଯୋଜକ ରୋହନ ଗୁପ୍ତା  ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ନେଇଥିଲେ। ଦେଢ଼ ଘଣ୍ଟାର ଏହି ପରୀକ୍ଷାରେ ପ୍ରାୟ ୭୦ ନେତା  ଉପସ୍ଥିତ ଥିଲେ।

ତେବେ ଆପଣମାନେ ନିହାତି ଜାଣିବାକୁ ଚାହୁଁଥିବେ ଏହି ପରୀକ୍ଷା ଓ ଇଣ୍ଟରଭ୍ୟୁରେ କ’ଣ ସବୁ ପ୍ରଶ୍ନ କରାଯାଇଥିଲା। ଆସନ୍ତୁ ଜାଣିବା କ’ଣ ଥିଲା ପ୍ରଶ୍ନ?

୧- ଆଜିର ତିନୋଟି ପ୍ରମୁଖ ଖବର କାଗଜର କ’ଣ ଖବର ପ୍ରକାଶ ପାଇଛି?

୨- ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ ସମୟର ସଫଳତା ଗୁଡ଼ିକ କ’ଣ ଥିଲା?

୩- ଉତ୍ତରପ୍ରଦେଶରେ କେତୋଟି ଜିଲ୍ଲା ଓ ବ୍ଲକ୍‌ ରହିଛି?

୪- ଉତ୍ତର ପ୍ରଦେଶରେ ଲୋକସଭା ଆସନ ପାଇଁ କେତୋଟି ସଂରକ୍ଷିତ ସିଟ୍ ରହିଛି?

୫- ୨୦୦୪ ଓ ୨୦୦୯ରେ କଂଗ୍ରେସ କେତୋଟି ସିଟ୍‌ରେ ଜିତିଥିଲା?

୬-୨୦୧୪ ଲୋକସଭା  ଓ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ କେତେ ପ୍ରତିଶତ ଭୋଟ୍‌ ପାଇଥିଲା?

୭- ଉତ୍ତର ପ୍ରଦେଶରେ କେତୋଟି ଲୋକସଭା ଓ  ବିଧାନସଭା ସିଟ୍ ରହିଛି?

୮- ଜଣେ ମୁଖପାତ୍ରର କାର୍ଯ୍ୟ କ’ଣ ହୋଇଥାଏ?

୯- ଆପଣ କାହିଁକି ମୁଖପାତ୍ର ହେବାକୁ ଚାହୁଁଛନ୍ତି?

୧୦- ମୋଦି ସରକାରଙ୍କ ଅସଫଳତାର ପ୍ରମୁଖ କାରଣ କ’ଣ?

ଏହି ପରୀକ୍ଷାରେ କଂଗ୍ରେସ ନେତା ଅମରନାଥ ଅଗ୍ରୱାଲ, ବୀରେନ୍ଦ୍ର ମଦାନ, ଦାବିଜେନ୍ଦ୍ର ତ୍ରିପାଠୀ ଓ ହିଲାଳ ନକବୀ ପରି ଅନେକ  ନୂଆ ଓ ପୁରୁଣା ନେତା ସାମିଲ ହୋଇଥିଲେ। ବୀରେନ୍ଦ୍ର ମଦାନ୍‌  ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସହ କାମ କରିଛନ୍ତି।

ପରୀକ୍ଷା ଦେବା ପରେ କଂଗ୍ରେସ ନେତା ଅମରନାଥ ଅଗ୍ରୱାଲ କହିଛନ୍ତି,“ ଏହା ଏକ ଭଲ ପ୍ରୟାସ। ଏହାଦ୍ୱାରା କଂଗ୍ରେସରେ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି। ଆମକୁ ନୂଆ ପିଢ଼ି ସହ ଚାଲିବାକୁ ହେଲେ ସେମାନଙ୍କ ଅନୁସାରେ ବଦଳିବାକୁ ପଡ଼ିବ।”