ପୁଣି ବଢ଼ିଲା ୟେଦ୍ଦୁରପ୍ପାଙ୍କ ଅଡ଼ୁଆ, କାହାକୁ କରିବେ ମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ନେତା ବିଏସ୍‌ ୟେଦ୍ଦୁରପ୍ପା। ତେବେ ଫ୍ଲୋର ଟେଷ୍ଟ ପରେ ତାଙ୍କୁ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।  ବର୍ତ୍ତମାନ ଘରେ ନ ପଶୁଣୁ ଚାଳ ବାଜିବା ପରିସ୍ଥିତି ସୃଷ୍ଟି ହେଲାଣି। ଯେଉଁ କାରଣ ପାଇଁ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ଭୁଶୁଡ଼ି ଗଲା, ଏବେ ୟେଦ୍ଦୁରପ୍ପାଙ୍କ ଆଗରେ ସମାନ ସ୍ଥିତି ଉପୁଜିଛି। କେନ୍ଦ୍ରୀୟ ନେତାଙ୍କ ସବୁଜ ସଙ୍କେତ ପରେ ବିଏସ୍‌ ୟେଦ୍ଦୁରପ୍ପା ଆଜି  ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ହେଲେ ତାଙ୍କ ମନ୍ତ୍ରିମଣ୍ଡଳ ପାଇଁ ସେ କାହାକୁ ସୁଯୋଗ ଦେବେ ଏବଂ କାହାକୁ ବାଦ୍ ଦେବେ, ତା’କୁ ନେଇ ଅଡ଼ୁଆରେ ପଡ଼ିଛନ୍ତି।

କାରଣ ମନ୍ତ୍ରୀ ହେବା ପାଇଁ ବିଜେପିର ୫୦ରୁ ଅଧିକ ବରିଷ୍ଠ ନେତା ଆଶାବାଦୀ ଅଛନ୍ତି। ସେହିପରି କଂଗ୍ରେସ-ଜେଡିଏସ୍‌ର ୧୫ ବିଦ୍ରୋହୀ ବିଧାୟକଙ୍କୁ ମଧ୍ୟ ୟେଦ୍ଦୁରପ୍ପା ମନ୍ତ୍ରୀପଦ ଦେଇ ଖୁସି କରିବାକୁ ହେବ। କିନ୍ତୁ କର୍ଣ୍ଣାଟକାରେ ସର୍ବାଧିକ ୩୪ ଜଣ ମନ୍ତ୍ରୀ ହୋଇ ପାରିବେ। ତେଣୁ ବିଜେପି ଓ ୟେଦ୍ଦୁରପ୍ପା କେମିତି ଅସନ୍ତୁଷ୍ଟ ବିଧାୟକଙ୍କୁ ସନ୍ତୁଷ୍ଟ କରିବେ, ସେ ଚିନ୍ତାରେ ରହିଛନ୍ତି।

ଦିଲ୍ଲୀରୁ ନିର୍ଦ୍ଦେଶ ଆସିବା ପରେ ରାଜ୍ୟପାଳ ବାଜୁଭାଇ ବାଲା କେବଳ ୟେଦ୍ଦୁରପ୍ପାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାର ଗୋଟିଏ ସପ୍ତାହ ପରେ ୟେଦ୍ଦୁରପ୍ପାଙ୍କ କ୍ୟାବିନେଟ୍‌ ସଦସ୍ୟଙ୍କ ନାଁ ପ୍ରକାଶ ପାଇବ। ଏହି ସମୟରେ ହିଁ ୟେଦ୍ଦୁରପ୍ପା ପୁଣି ଏକ ରାଜନୀତିକ ପରୀକ୍ଷାର ସମ୍ମୁଖୀନ ହେବେ ବୋଲି କୁହାଯାଉଛି।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଧାୟକ ମୁରଗେଶ ନିରାନୀ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ୩ ବା ତା’ଠାରୁ ଅଧିକଥର ନିର୍ବାଚନ ଜିତିଥିବା ୫୬ ଜଣଙ୍କ ନାଁ ଏଥିରେ ରହିଛି। ସେମାନେ ମନ୍ତ୍ରୀ ହେବାର ସମ୍ଭାବନା ରହିଛି। ସେହିପରି ୧୫ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୭ରୁ ୮ଜଣଙ୍କୁ ମଧ୍ୟ ମନ୍ତ୍ରୀ ପଦ ଦେବାକୁ ୟେଦ୍ଦୁରପ୍ପା ଚାହୁଁଛନ୍ତି। କାରଣ ଏହି ବିଦ୍ରୋହୀ ବିଧାୟକମାନଙ୍କ ପାଇଁ ବିଜେପିର ଅପରେସନ କମଲ କର୍ଣ୍ଣାଟକାରେ ସଫଳ ହୋଇଛି।

ୟେଦ୍ଦୁରପ୍ପା ଏତେ ସଂଖ୍ୟକ ଆଶାୟୀଙ୍କ ତାଲିକା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିପାଇଁ ସେ କାହାକୁ ବି ମନ୍ତ୍ରୀ ହେବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇନାହାନ୍ତି। ଏବେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ କଥା ହେବା ପରେ, ତାଙ୍କ କ୍ୟାବିନେଟ୍‌ ସଦସ୍ୟଙ୍କ ନାଁ ଘୋଷଣା କରିବେ। ବିଜେପି ଦଳର ବରିଷ୍ଠ ଓ ବିଶ୍ୱାସଯୋଗ୍ୟ ଲୋକଙ୍କୁ ହିଁ ମନ୍ତ୍ରୀ କରିବାକୁ ସେ ଚିନ୍ତା କରୁଥିବାରୁ ଏହା ଅନ୍ୟ ଗୋଷ୍ଠୀଙ୍କୁ ଅସନ୍ତୁଷ୍ଟ ମଧ୍ୟ କରିବାର ଆଶଙ୍କା ରହିଛି।