ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ୟେଦ୍ଦୁରପ୍ପା!

ବେଙ୍ଗାଲୁରୁ: ବିଜୟର ହସ ଏବଂ ବିଜୟ ଚିହ୍ନ ସହ ବିଜେପି କର୍ଣ୍ଣାଟକାରେ କ୍ଷମତା ଦଖଲ କରିବାକୁ ପ୍ରସ୍ତୁତ ହୋଇସାରିଛି। ୧୪ ମାସର ମେଣ୍ଟ ସରକାର ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରଦର୍ଶନ କରିବାକୁ ଅସମର୍ଥ ହେବାପରେ ପୂର୍ବରୁ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବିଏସ୍‌ ୟେଦ୍ଦୁରପ୍ପା ପୁଣି ମୁଖ୍ୟମନ୍ତ୍ରୀର ମୁକୁଟ ପିନ୍ଧିବା ପ୍ରାୟ ନିଶ୍ଚିତ ହୋଇସାରିଛି।

ଏହାର କାରଣ ସ୍ୱରୂପ କୁହାଯାଉଛି, ୭୫ ବର୍ଷ ବୟସ୍କ ୟେଦ୍ଦୁରପ୍ପା ଏହି ନାଟକର ମୁଖ୍ୟ ସୂତ୍ରଧର ଥିଲେ। ଆଉ ଅତୀତରେ କର୍ଣ୍ଣାଟକାରେ ହିଁ ବିଜେପି ଦକ୍ଷିଣ ଭାରତରେ ତା’ର ପ୍ରଥମ ସରକାର ଗଢ଼ିଥିଲା ଏବଂ ଏହା ପଛରେ ଥିଲା ୟେଦ୍ଦୁରପ୍ପାଙ୍କ ସଙ୍ଗଠନର କମାଲ। ସେ ଗତ ମେ’ ମାସରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିଲେ। ଏଥର କିନ୍ତୁ ତାଙ୍କ ନେତୃତ୍ୱ ପ୍ରତି ସେଭଳି କୌଣସି ବିପଦ ରହିବନି ବୋଲି କୁହାଯାଉଛି।

ଗୋଟିଏ ପଟେ ମେଣ୍ଟ ସରକାର ଫ୍ଲୋର ଟେଷ୍ଟ ଅବଧି ଘୁଞ୍ଚାଇ ଚାଲିଥିବାବେଳେ ବିଏସ୍‌ ୟେଦ୍ଦୁରପ୍ପା ଅଡ଼ି ବସିଥିଲେ ଓ ମଧ୍ୟରାତ୍ରିରେ ଭୋଟିଂ ହେଲେ ମଧ୍ୟ ସେ ଅପେକ୍ଷା କରିବେ ବୋଲି କହିଥିଲେ। ଏପରିକି ତାଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ବିଧାନସଭାରେ ରାତିସାରା ଶୋଇରହିବାକୁ ମଧ୍ୟ ପଛାଇ ନଥିଲେ।

ବହୁଦିନ ଧରି ଭାଷଣ ନାମରେ ଭୋଟିଂ ଅବଧି ଘୁଞ୍ଚାଇ ଘୁଞ୍ଚାଇ ଚାଲିଥିବା ମେଣ୍ଟ ସରକାର ରାଜ୍ୟପାଳ ଏବଂ ବାଚସ୍ପତିଙ୍କ ଡେଡ୍‌ଲାଇନ୍‌ ଟାଳିଆସିଥିଲା। କିନ୍ତୁ ଆଜି ଏଥିରେ ଅନ୍ତ ଘଟିଛି। ଆଜି ଭୋଟିଂରେ ବିଜେପି ୧୦୫ ଭୋଟ୍‌ ପାଇଥିବାବେଳେ ମେଣ୍ଟ ସରକାରଙ୍କ ସମର୍ଥନରେ ମାତ୍ର ୯୯ଟି ଭୋଟ୍‌ ପଡ଼ିଥିଲା। ୨୨୫ ଆସନ ବିଶିଷ୍ଟ ଏହି ବିଧାନସଭାରେ ଆଜି ୨୦ ଜଣ ଅନୁପସ୍ଥିତ ଥିଲେ। ଆଜିର ଆସ୍ଥାଭୋଟରେ ବିଜୟ ପରେ ୟେଦ୍ଦୁରପ୍ପା କହିଛନ୍ତି, ଏହା ଗଣତନ୍ତ୍ରର ବିଜୟ,ଏହା ବିକାଶର ନୂଆ ଯୁଗ ଆଣିବ। ଲୋକେ ମେଣ୍ଟ ସରକାର ଉପରୁ ଆଶା ଛାଡ଼ି ଦେଇଥିଲେ ବୋଲି ସେ କହିଛନ୍ତି। ସେହିଭଳି ବିଜେପି ପକ୍ଷରୁ କୁହାଯାଇଥିଲା, ଏହା ଭାଗ୍ୟର ଖେଳ। ଏହା ଏକ ଦୁର୍ନୀତିଗ୍ରସ୍ତ ଏବଂ ଅପବିତ୍ର ମେଣ୍ଟ ଥିଲା। ଆମେ କର୍ଣ୍ଣାଟକାବାସୀଙ୍କୁ ସ୍ଥିର ଏବଂ ଉପଯୁକ୍ତ ଶାସନ ଦେବୁ।