ଭ୍ରଷ୍ଟାଚାର ମାମଲାରେ ପାକିସ୍ତାନର ଆଉ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

ଇସ୍‌ଲାମାବାଦ: ଦୁର୍ନୀତି ମାମଲାରେ ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ (ଏନ୍‌ବିଏ) ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ ଆବ୍ବାସୀଙ୍କୁ ଗିରଫ କରିଛି। ଆବ୍ବାସୀ ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଥିବା ବେଳେ ତାଙ୍କୁ ଏନ୍‌ବିଏ ଅଧିକାରୀମାନେ ଗିରଫ କରିଛନ୍ତି।

ଦୁର୍ନୀତି ପାଇଁ ପୂର୍ବରୁ ନୱାଜ ଶରିଫ ଓ ଆସିଫ ଅଲୀ ଜର୍ଦ୍ଦାରୀ ଗିରଫ ହୋଇଥିଲା। ତୃତୀୟ ବଡ଼ ରାଜନେତା ଭାବେ ଆବ୍ବାସୀଙ୍କୁ ଏନ୍‌ବିଏ ଗିରଫ କରିଛି। ଲିକ୍ୟୁଫାଏଡ୍‌ ନ୍ୟାଚୁରାଲ ଗ୍ୟାସ୍‌(ଏଲଏନ୍‌ଜି) ଦୁର୍ନୀତିରେ ଆବ୍ବାସୀ ସଂପୃକ୍ତ ଥିଲେ।

ଆବ୍ବାସୀ ନିଜ ପଦରୁ ଅପବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ୧୫ ବର୍ଷ ପାଇଁ ଏଲଏନ୍‌ଜି ଟର୍ମିନାଲର କଣ୍ଟ୍ରାକ୍ଟ ଦେଇଥିଲେ।

ଦୁର୍ନୀତି ମାମଲାରେ ଶରିଫ ବିଦା ହୋଇ ଜେଲ ଗଲା ପରେ ୨୦୧୭ ଅଗଷ୍ଟ ମାସରୁ ୨୦୧୮ ମେ’ ମାସ ଯାଏ ଆବ୍ବାସୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।