ରାଜସ୍ଥାନରେ ବାୟୁସେନାର ପୁଣି ଏକ ମିଗ ବିମାନ ଦୁର୍ଘଟଣାଗ୍ରସ୍ତ

ଜୟପୁର, ରାଜସ୍ଥାନ: ଭାରତୀୟ ବାୟୁସେନାର ମିଗ (ଏମଆଇଜି) ୨୭ ୟୁପିଜି ଜେଟ୍ ରାଜସ୍ଥାନର ଯୋଧପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଫିସିଆଲ ଡ୍ୟୁଟି କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି ଭାରତୀୟ ବାୟୁସେନାର ଏହି ଯୁଦ୍ଧ ବିମାନ। ତେବେ ଦୁର୍ଘଟଣାଗ୍ରସ୍ତ ଜେଟରେ କେତେ ଜଣ ଥିଲେ ଓ ଦୁର୍ଘଟଣାର କାରଣ କ’ଣ, ଏ ବାବଦରେ ଅଧିକ କୌଣସି ସୂଚନା ମିଳିପାରିନାହିଁ। କିନ୍ତୁ ବିମାନର ଧ୍ଵଂସାବଶେଷ ସିରୋହି ଜିଲ୍ଲାରେ ଠାବ ହୋଇଛି। ଭାରତୀୟ ବାୟୁସେନା ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ମିଗ -୨୧ ଜେଟ୍ ଚଳିତ ମାସ ବିକାନେରରେ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ପାଇଲଟ ଜଣଙ୍କ ସୁରକ୍ଷିତ ଥିଲେ।

ନିକଟରେ ଭାରତୀୟ ବାୟୁସେନାର ମିଗ -୨୧ ବିମାନ ପାକିସ୍ତାନର ଏଫ୍-୧୬ ବିମାନକୁ ଆକାଶମାର୍ଗରେ ଧ୍ବଂସ କରିଦେଇଥିଲା। ଏହାକୁ ଚଳାଉଥିଲେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ। ତେବେ ପାକିସ୍ତାନର ବିମାନକୁ ଧ୍ବଂସ କରିବା ପରେ ଏମଆଇଜି-୨୧ ବିମାନଟି ମଧ୍ୟ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା।