ଯୋଗେନ୍ଦ୍ର ଯାଦବଙ୍କ ‘ସ୍ୱରାଜ ଇଣ୍ଡିଆ’ ହେଲା ନୂଆ ରାଜନୀତିକ ଦଳ, ଦଳୀୟ ଚିହ୍ନ ‘ହୁଇସିଲ୍’

ନୂଆଦିଲ୍ଲୀ: ‘ସ୍ୱରାଜ ଇଣ୍ଡିଆ’ ଆଗାମୀ ହରିଆନା ବିଧାନସଭା ନିର୍ବାଚନର ସମସ୍ତ ଆସନରେ ପ୍ରାର୍ଥୀ ଦେବ। ସ୍ୱରାଜ ଇଣ୍ଡିଆର ସଂଯୋଜକ ଯୋଗେନ୍ଦ୍ର ଯାଦବ ଆଜି ଏହା ଘୋଷଣା କରିଛନ୍ତି। ଦଳର ଚିହ୍ନ ‘ହୁଇସିଲ୍’ ରହିଛି। ପୂର୍ବରୁ ଆମ୍ ଆଦମୀ ପାର୍ଟିରେ ଥିବା ବେଳେ ଦିଲ୍ଲୀରେ କଂଗ୍ରେସକୁ କ୍ଷମତାଚ୍ୟୁତ କରାଇ ଆପ୍ ସରକାର ଗଢ଼ିବାରେ ଯୋଗେନ୍ଦ୍ର ଯାଦବଙ୍କର ପ୍ରମୁଖ ଭୂମିକା ଥିଲା। ପରେ ସେ ଦଳର ନେତୃତ୍ୱ ଉପରେ ଅସନ୍ତୋଷ ପ୍ରକାଶ କରି ‘ସ୍ୱରାଜ ଇଣ୍ଡିଆ’ ନାମକ ସାମାଜିକ ଓ ରାଜନୀତିକ ମଞ୍ଚ ପ୍ରତିଷ୍ଠା କରିଥିଲେ। ଏବେ ଏହାକୁ ରାଜନୀତିକ ଦଳ ଭାବରେ ତିଆରି କରିଛନ୍ତି।

ସେ କହିଛନ୍ତି ରାଜନୀତିକ ଦଳ କ୍ଷମତାରେ ରହିବା ପାଇଁ ଚାଷ କରୁଛନ୍ତି, କିନ୍ତୁ ତାଙ୍କ ଦଳ ସତକୁ ନେଇ ଲୋକଙ୍କ ମଧ୍ୟରେ ଚାଷ କରିବ ବୋଲି ଆଜି ଚଣ୍ଡିଗଡରେ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି ଯୋଗେନ୍ଦ୍ର। ୪ ବର୍ଷ ହେଲା ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ‘ସ୍ୱରାଜ ଇଣ୍ଡିଆ’ ଏବଂ ‘ସ୍ୱରାଜ ଅଭିଯାନ’ ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯାଇ ସଫଳ ହୋଇଛି। ଏବେ ତାଙ୍କର ଏହି ଦଳ ହରିଆନା ବିଧାନସଭା ନିର୍ବାଚନରେ ଲୋକଙ୍କ ପାଖରେ ଶାସକ ଦଳ ବିଜେପିର ବିକଳ୍ପ ହେବ ବୋଲି ସେ ଦାବି କରିଛନ୍ତି।