ଯୋଗୀଙ୍କୁ ପୁଣି ମହମହ ବାସିଲା ତାଜମହଲ: ବୁଲି କି ଦେଖିଲେ, ଝାଡୁ ମାରିଲେ

ଆଗ୍ରା: ଯାହାକୁ ଦିନେ କେବଳ ଏକ କୋଠା ବୋଲି କହୁଥିଲେ, ଆଜି ତାହା ତାଙ୍କ ପାଇଁ ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇଗଲା। ପ୍ରେମର ପ୍ରତୀକ ତାଜମହଲ, ତାଙ୍କୁ ମହମହ ବାସିଲା। ମନ୍ତ୍ରୀ ଓ କର୍ମୀଙ୍କ ସହ ଏହାକୁ ବୁଲି ବୁଲି ଦେଖିଲେ। ଖାଲି ଦେଖିଲେ ନାହିଁ, ଝାଡୁ ମାରି ସଫା ମଧ୍ୟ କଲେ। ଆମେ କହୁଛୁ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତଙ୍କ କଥା। ଆଜି ଆଗ୍ରା ଗସ୍ତରେ ଯାଇ ଯୋଗୀ ତାଜମହଲ ପରିଦର୍ଶନ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି, “ମୋର ଆଗ୍ରା ଆସିବା ବହୁ ଲୋକଙ୍କୁ ବାଧୁଛି। ସେ ସମୟରେ ବିକାଶ କାମ କରିଲେ ନାହିଁ, ଏବେ ସମସ୍ୟା ଉପୁଜୁଛି।”

ସେ ଆହୁରି କହିଛନ୍ତି, ଏଠାରେ କିଛି ଯୋଜନା ବହୁଦିନ ଧରି ଅଟକି ରହିଛି। ୟୁପିର ବିକାଶ ନାଁରେ ଅପରାଧୀଙ୍କ ବିକାଶ ହୋଇଛି। ପୂର୍ବ ସରକାର ଏଠାରେ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ ହେବାକୁ ଦେଲେନାହିଁ। ଆମେ କୃଷିଋଣ ଛାଡ କରିଛୁ। ତାମଜମହଲର ପଶ୍ଚିମ ଦ୍ୱାର ଆମକୁ ସଫା କରିବାକୁ ପଡିଲା।

ଯୋଗୀ, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ରୀତା ବହୁଗୁଣା, ଅନ୍ୟ ଅଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଆଗ୍ରାରେ ପହଞ୍ଚି ତାଜମହଲ ପରିଦର୍ଶନ କରିଥିଲେ। ଉତ୍ତର ପ୍ରଦେଶ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ତାଜମହଲ ପରିଦର୍ଶନ କରିଛନ୍ତି। ସେ ବିରାସତ ଭବନ ପରିଷରରେ ପ୍ରବେଶ କରିବା ପୂର୍ବରୁ ସମର୍ଥକଙ୍କ ସହ ପଶ୍ଚିମ ଦ୍ୱାରରେ ଝାଡୁ ମାରି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ଏଥିରେ ଯୋଗୀଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସହରରେ ୧୪,୦୦୦ ପୋଲିସ୍‌ କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା।