ଏବେ ପ୍ରତିଦିନ ମାତ୍ର ୧ ଟଙ୍କାରେ ମିଳିବ ଅନ୍‌ଲିମିଟେଡ୍ ଡାଟା

ଜିଓ ପରେ ଏବେ ଆଉଏକ ଟେଲିକମ୍ କମ୍ପାନୀ ଆଣିବାକୁ ଯାଉଛି ଧମାକେଦାର ପ୍ଲାନ୍। ଏହି ଧମାକା ସରକାରୀ କମ୍ପାନୀ ବିଏସ୍‌ଏନ୍‌ଏଲ୍ ଓ ବିଦେଶୀ କମ୍ପାନୀ ‘ଡାଟାୱିଣ୍ଡ’ ଆଣିଛନ୍ତି। ଏହି କମ୍ପାନୀ ବିଦେଶରେ କମ୍ ଦାମ୍‌ରେ ଡାଟା ପ୍ୟାକ୍, ମୋବାଇଲ ଫୋନ୍ ଓ ଟ୍ୟାବଲେଟ୍ ଉପଲବ୍ଧ କରେ। ଏହାର ମୁଖ୍ୟାଳୟ କାନାଡ଼ାରେ ରହିଛି। କମ୍ପାନୀର ଯୋଜନା ରହିଛି ପ୍ରତିଦିନ ୧ ଟଙ୍କାରେ ଅନଲିମିଟେଡ୍ ଡାଟା ଦେବା। ଏହା ଫେବୃଆରୀ ମାସ ତୃତୀୟ ସପ୍ତାହ ସୁଦ୍ଧା ଆରମ୍ଭ ହୋଇଯିବ। ଏଥିପାଇଁ ବିଏସ୍‌ଏନ୍‌ଏଲ୍ ପ୍ରଥମରୁ ହିଁ ଏହି କମ୍ପାନୀ ସହ ଏମ୍‌ଓୟୁ ହସ୍ତାକ୍ଷର କରିସାରିଛି।

bsnl‘ଡାଟାୱିଣ୍ଡ’ର CEO ସୁନିତ୍ ସିଂହ ତୁଲି କହିଛନ୍ତି, “ଆସନ୍ତା ଫେବୃଆରୀରେ କାନାଡ଼ାର ପ୍ରଧାନମନ୍ତ୍ରୀ ‘ଜଷ୍ଟିନ୍ ଟ୍ରୁଡୋ’ ଭାରତ ଗସ୍ତରେ ଆସୁଛନ୍ତି। ସେହି ସମୟରେ ଏହି ଇଣ୍ଟରନେଟ୍ ସେବା ଆରମ୍ଭ ହୋଇପାରେ।”

କମ୍ପାନୀ ଏହି ଇଣ୍ଟରନେଟ୍ ସେବା ଏକ ଆପ୍ ଜରିଆରେ ଦେବ। ଯାହା ଆଣ୍ଡ୍ରଏଡ୍ ଓ ଜାଭା ସେଟ୍ ଗୁଡ଼ିକରେ ଉପଲବ୍ଧ ହେବ। ବିଏସ୍ଏନ୍‌ଏଲ୍ ସିମ୍ ବ୍ୟବହାରକାରୀ ଏହି ଆପ୍ ଇନ୍‌ଷ୍ଟଲ କରି ଇଣ୍ଟରନେଟ ବ୍ରାଉଜିଂର ସୁବିଧା ପାଇପାରିବେ। ଏହି ସେବାରେ 1GB, 2GB ପରି କୌଣସି ଲିମିଟ୍ ନାହିଁ। ଆପଣ ନିଜ ଇଚ୍ଛା ଅନୁଯାୟୀ ଅନ୍‌ଲିମିଟେଡ୍‌ ଡାଟା ବ୍ୟବହାର କରିପାରିବେ। ଏହାର ସ୍ପିଡ୍, ସମ୍ବନ୍ଧିତ ଟେଲିଫୋନ୍ କମ୍ପାନୀର ସ୍ପିଡ୍‌ରୁ ୩୦ ପ୍ରତିଶତ ଅଧିକ ରହିବ। ଅର୍ଥାତ ଯାହା ଡାଉନଲୋଡ୍ କରିବାକୁ ୩୦ରୁ ୩୨ ସେକେଣ୍ଡ ଲାଗୁଛି, ତାହା ଏହି ଆପ୍ ଜରିଆରେ ମାତ୍ର ୨ ସେକେଣ୍ଡରେ ହୋଇଯିବ।

କେବଳ ବିଏସ୍‌ଏନ୍‌ଏଲ୍ ନୁହେଁ, ରିଲାଏନ୍ସ ଜିଓ, ଏୟାରଟେଲ୍, ଆଇଡିଆ, ଭୋଡାଫୋନ୍ ଆଦି କମ୍ପାନୀ ସହ ମଧ୍ୟ ବୁଝାମଣା ଚାଲିଛି। ଯଦି ଏମାନେ ବି ରାଜି ହୋଇଯାଆନ୍ତି, ତେବେ ଏମାନଙ୍କ ଗ୍ରାହକମାନଙ୍କୁ ମଧ୍ୟ ଏହି ଶସ୍ତା ଇଣ୍ଟରନେଟ୍ ସୁବିଧା ମିଳିପାରିବ।