୫ ହଜାର ଟଙ୍କା ଦେଇ ପୋଷ୍ଟ ଅଫିସ ଶାଖା ଖୋଲନ୍ତୁ, ମାସିକ ମୋଟା ଅଙ୍କର ରୋଜଗାର କରନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦି ସରକାରେ ଆସିବା ପରେ ଦିନକୁ ଦିନ ପୋଷ୍ଟ ଅଫିସକୁ ଅଧିକ ସକ୍ରିୟ କରାଯାଉଛି। ପୂର୍ବରୁ ପୋଷ୍ଟ ଅଫିସ ଜନଶୂନ୍ୟ ଦେଖିବାକୁ ମିଳୁଥିବା ବେଳେ ଏବେ କିନ୍ତୁ ପୋଷ୍ଟ ଅଫିସରେ ଲମ୍ୱା ଲାଇନ ଦେଖିବାକୁ ମିଳୁଛି। ଦେଶରେ ପାଖାପାଖି ୧. ୫୫ ଲକ୍ଷ ପୋଷ୍ଟ ଅଫିସ ରହିଛି। କିନ୍ତୁ ଅନେକ ସ୍ଥାନରେ ଏଯାଏ ପୋଷ୍ଚ ଅଫିସ ନାହିଁ।  ଏବେ ସେହି ସବୁ ସ୍ଥାନରେ ପୋଷ୍ଟ ଅଫିସ ସେବା ପହଞ୍ଚାଇବାକୁ ମୋଦି ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ପୋଷ୍ଟ ଅଫିସର ଶାଖା ଖୋଲିବା ପାଇଁ ସର୍ବସାଧାରଣଙ୍କୁ ଆହ୍ୱାନ କରିଛନ୍ତି ସରକାର। ଏହି ପୋଷ୍ଟ ଅଫିସ ଖୋଲିବା ପାଇଁ ନ୍ୟୁନତମ ଅଷ୍ଟମ ଶ୍ରେଣୀ ପାସ୍ ହେଲେ ଚଳିବ ଏବଂ ୫ ହଜାର ଟଙ୍କାର ସିକ୍ୟୁରିଟି ଡିପୋଜିଟ ଦେବାକୁ ପଡ଼ିବ। ଏହି ଶାଖା ଜରିଆରେ ସ୍ପିଡ୍ ପୋଷ୍ଟ, ମନି ଅର୍ଡ଼ର ବୁକିଂ ଆଦି କରିହେବ ଏବଂ ଶାଖା ଖୋଲିଥିବା ବ୍ୟକ୍ତି ପ୍ରତି ସେବା ପିଛା କମିଶନି ପାଇବେ।

ଖାଲି ଗାଁ ଗୁଡ଼ିକରେ ନୁହେଁ, ସହର, କଲେଜ, ବିଶ୍ୱବିଦ୍ୟାଳୟ ଆଦି ସ୍ଥାନରେ ଏହି ପୋଷ୍ଟ ଅଫିସ ଖୋଲି ହେବ। ଏଥିପାଇଁ ପ୍ରଥମେ ପୋଷ୍ଚ ଅଫିସର ଅଫିସିଆଲ ଓ୍ୱେବସାଇଟ୍ ଯାଇ ଆବେଦନ କରିବାକୁ ପଡ଼ିବ। ଯଦି ଆବେଦନକାରୀ ସିଲେକ୍ଟ ହୁଅନ୍ତି ତାହେଲେ ପୋଷ୍ଟ ଅଫିସ ଡିପାର୍ଟମେଣ୍ଟ ସହ ଆବେଦନକାରୀଙ୍କର ଏକ ଏମଓୟୁ ହେବ ଏବଂ ବ୍ୟବସାୟ ଆରମ୍ଭ ହୋଇପାରିବ। ତେବେ ପୋଷ୍ଟ ଅଫିସ କର୍ମଚାରୀଙ୍କ ପରିବାରର ସଦସ୍ୟଙ୍କୁ ଚୟନ କରାଯିବ ନାହିଁ।