ସରକାରୀ ଚାକିରି କରିଥିଲେ ନେଇପାରିବେନି ଯୌତୁକ

ଚଣ୍ଡିଗଡ଼: ସରକାରୀ ଚାକିରି କରିଥିବା ଜ୍ୱାଇଁଙ୍କ ଡିମାଣ୍ଡ ଆଜିକାଲି ବେସ୍‌ ଅଧିକ। ହେବନି ବା କାହିଁକି ଯେ, ୭ମ ବେତନ କମିଶନ ଲାଗିବା ପରେ ସରକାରି ଚାକିରିଆଙ୍କ ଭାଉ ବଢିଯାଇଛି। ଏମିତି ବରପାତ୍ରକୁ ଜ୍ୱାଇଁ କରିବାକୁ ହେଲେ ଝିଅ ଘର ବି ମାଲାମାଲ୍‌ ହୋଇଥିବା ଆବଶ୍ୟକ।  ଏ କଥାରେ ଆପଣ ବି ସହମତ ହେବେ ନିଶ୍ଚିତ। ହେଲେ ସେମିତି ଭାବନ୍ତୁନି। ଆମେ ଯଦି ପଚାରୁ, “ଆପଣଙ୍କ ପୁଅ ସରକାରୀ ଚିକିରି କରିଛି କି? ତା ପାଇଁ ଝିଅ ଖୋଜା ଆରମ୍ଭ ହେଲାଣି କି? ଏ କଥା ଶୁଣି ହୁଏତ ଆପଣ ଭାବୁଥିବେ ଭଲ ଯୌତୁକ ଦେଲାଭଳି କନ୍ୟା ପାତ୍ରୀଟିଏ ଆପଣଙ୍କ ପୁଅ ପାଇଁ ଆମେ ଯୋଗାଡ କରୁଛୁ। ହେଲେ ସେମିତି ଭାବନ୍ତୁନି। ଅଡୁଆରେ ପଡିବେ।

ସତକଥାଟି ହେଉଛି, ଆମେ ଆପଣଙ୍କୁ ଏଠାରେ ଗୋଟିଏ ନୂଆ ନିୟମ ସମ୍ପର୍କରେ କହିବାକୁ ଯାଉଛୁ। ଜାଣିଛନ୍ତି, ଏଣିକି ସରକାରି ଚାକିରି କରିଥିବା ବରପାତ୍ର ଚାକିରିରେ ଯୋଗଦେବା ଆଗରୁ ଏକ ଅଣ୍ଡରଟେକିଂ ଲେଖିବେ। ଯେଉଁଥିରେ ଗୋଟିଏ ଅବାଗିଆ ସର୍ତ ରହିଛି। ଯାହା ତାଙ୍କୁ ମାନିବାକୁ ପଡିବ। ପ୍ରାର୍ଥି ବିବାହ କେଲେ ଯୌତୁକ ନେବେନି, ଏ କଥା ଲିଖିତ ଭାବେ ଜଣାଇବାକୁ ପଡିବ।

ଖାଲି ସେତିକି ନୁହେଁ, ଶ୍ୱଶୁର ଘରର ସମ୍ପତି ତଥା ଆପଣଙ୍କୁ ତାଙ୍କ ପକ୍ଷରୁ ମିଳୁଥିବା ଆର୍ଥିକ ଲାଭାଂଶ ବାବଦରେ ମଧ୍ୟ ସୁବିସ୍ତ୍ରୃତ ଭାବେ ସରକାରଙ୍କୁ ଲେଖି ଜଣାଇବାକୁ ପଡିବ।

ହରିଆଣା ସରକାର ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି।  ହରିଆଣା ସରକାରୀ କର୍ମଚାରୀ ଆଚରଣ ବିଧି ୨୦୧୬ ମୁତାବକ ସମସ୍ତ ପ୍ରଶାସନିକ ସଚିବ, ଅନୁ ସଚିବ, ବିଭାଗୀୟ ମୁଖ୍ୟ, ହରିଆଣ ଓ ପଞ୍ଜାବ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାରଙ୍କୁ ଏ ନୂଆ ନିୟମର ଅନୁପାଳନ ନିମନ୍ତେ ନିବେଦନ କରାଯାଇଥିବା କୁହାଯାଇଛି।