ପଞ୍ଚାୟତ ସଭାରେ ଯୁବକଙ୍କୁ ଜୋତା ମାଡ଼: ଦୋଷ ହେଲା…

ମେୱାତ: କଥା କଥାରେ ସମସ୍ତେ କହିଥାନ୍ତି, ପ୍ରେମ ଅମର। ପ୍ରେମର କୌଣସି ମୂଲ୍ୟ ନାହିଁ। ଏହାକୁ କାହା ସହ ତଉଲା ଯାଇ ପାରିବ ନାହିଁ। ହେଲେ କାହିଁ କେଉଁ କାଳରୁ ପ୍ରେମର ଗତିରୋଧ ହୋଇଆସୁଛି। ହିର-ରାଞ୍ଝା ହୁଅନ୍ତୁ ଅବା ଲୈଲା-ମଜନୁ ଅଥବା ମିରଜା-ସାହିବା, ଏମାନେ ଜୀନବ ଦେଇ ପ୍ରେମକୁ କରିଯାଇଛନ୍ତି ଅମର। ପ୍ରେମ ପାଇଁ ଏମାନେ ବଳିଦାନ ଉଦାହରଣ ହୋଇ ରହିଛି। ହେଲେ ସମାଜରୁ ଆଜି ବି ପ୍ରେମର ଗତିରୋଧ କରିବାକୁ ବହୁତ ରହିଛନ୍ତି। ଆଜି ବି ପ୍ରେମୀଯୁଗଳଙ୍କ ମଧ୍ୟରେ କେହି ନା କେହି ଭିଲିଆନ ସାଜୁଛନ୍ତି। ଏପରି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ଯୁବକଙ୍କୁ ସର୍ବସମ୍ମୁଖରେ ଅପମାନିତ କରାଯାଉଛି।

ଭିଡିଓଟି ରାଜସ୍ଥାନର ମେୱାତ ଅଞ୍ଚଳରୁ ଆସିଛି। ଏଥିରେ ଜଣେ ଯୁବକଙ୍କୁ ହାତ ବନ୍ଧି ବସା ଯାଇଛି। ପଞ୍ଚାୟତର ନିଷ୍ପତ୍ତି ଅନୁସାରେ ସର୍ବସମ୍ମୁଖରେ ତାଙ୍କୁ ଜୋତାରେ ମାଡ଼ ମରାଯାଉଛି। ଯୁବକଙ୍କର ଭୁଲ ହେଉଛି ସେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ।

ଯେତେବେଳେ ଯୁବକଙ୍କ ପ୍ରେମ ସମ୍ପର୍କରେ ଜଣାପଡିଥିଲା, ଗ୍ରାମବାସୀ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ। ଏଥିପାଇଁ ବସିଥିଲା ପଞ୍ଚାୟତ। ପଞ୍ଚାୟତରେ ସବୁ ଶୁଣାଯିବା ପରେ ଦିଆଯାଇଥିଲା ତୋଗଲକୀ ହୁକମ୍‌। ଯୁବକଙ୍କୁ ୮୦ ହଜାର ଟଙ୍କା ଜରିମାନା କରାଯାଇଥିଲା। ଏହାବାଦ, ୫ ଥର ଜୋତା ମାଡ଼ ଦିଆଯାଇଥିଲା।

ଏହି ଘଟଣାକୁ ଗୁପ୍ତ ରଖିବାକୁ ବହୁତ ଉଦ୍ୟମ କରାଯାଇଥିଲା। ହେଲେ କେହି ଜଣେ ପୂରା ଘଟଣାକୁ ରେକର୍ଡ କରି ସୋସିଆଲ ମିଡିଆରେ ଛାଡି ଦେଇଥିଲେ। ଯାହା ଭାଇରାଲ ହେବା ସହ ଆଧୁନିକ ଭାରତ ଭିତରେ ଲୁଚାଛପାରେ ଚାଲିଥିବା ତୋଗଲକୀ ଶାସନର ନିଛକ ଛବିକୁ ପଦାରେ ପକାଇ ଦେଇଛି।