ଏୟାର ଇଣ୍ଡିଆ ମ୍ୟାନେଜରଙ୍କୁ ମାଡ଼ ମାରି ୱାଇଏସଆର କଂଗ୍ରେସର ସାଂସଦ ଗିରଫ

ହାଇଦ୍ରାବାଦ: ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ୱାଇଏସଆର କଂଗ୍ରେସର ସାଂସଦ ମିଥୁନ ରେଡ୍ଡୀଙ୍କୁ ଶନିବାର ରାତିରେ ଗିରଫ କରାଯାଇଛି। ତାଙ୍କୁ ଆଜି ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଅଭିଯୋଗ ଅନୁଯାୟୀ ଗତ ବର୍ଷ ନଭେମ୍ବର ମାସରେ ମିଥୁନ ତିରୁପତି ବିମାନବନ୍ଦରରେ ଏୟାର ଇଣ୍ଡିଆର ଜଣେ ମ୍ୟାନେଜରଙ୍କୁ ଥାପଡ଼ ମାରି ଥିଲେ। ବୋର୍ଡିଂ ସମୟ ଶେଷ ହୋଇଯିବା ପରେ ନିଜ ପରିବାର ଲୋକଙ୍କୁ ପାସ୍ ନ ମିଳିବା ଯୋଗୁଁ ସାଂସଦ ରାଗି ଯାଇ ମ୍ୟାନେଜରଙ୍କୁ ଥାପଡ଼ ମାରି ଥିଲେ। ପୋଲିସ୍ ତାଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରି ଏକ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା। ତେବେ ସାଂସଦ ମିଥୁନ ଏହି ନୋଟିସର କୌଣସି ଜବାବ ଦେଇ ନ ଥିଲେ। ଫଳରେ ଗତକାଲି ରାତିରେ ପୋଲିସ୍ ତାଙ୍କୁ ଗିରଫ କରିଛି।