ଚଳିତ ବର୍ଷ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ବନ୍ଦ ରହିବ

ପୁରୀ: ନବକଳେବର ବର୍ଷ ହୋଇଥିବାରୁ ଏବର୍ଷ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ବନ୍ଦ ରହିବ। ସେହିପରି ଗୁଣ୍ଡିଚା ମନ୍ଦିରରେ ସଂଧ୍ୟାଦର୍ଶନ ସମୟରେ ଭକ୍ତ କେବଳ ବାହାରୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଆଗାମୀ ନବକଳେବର ଓ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଆଗାମୀ ୨ ତାରିଖରେ ହେବାକୁ ଥିବା ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ଜଳଲାଗି ନୀତି, ହାତୀବେଶ ଦର୍ଶନ ଭଳି ବିଭିନ୍ନ ବ୍ୟବସ୍ଥାବଳି ଏବଂ ଏହା ପରେ ମହାଅଣସର ସମୟରେ ଶ୍ରୀବିଗ୍ରହଙ୍କ ନିର୍ମାଣ ଆଦି ସଂପର୍କରେ ଆଲୋଚନା ହୋଇଛି। ଏଥିସହ ଦଇତାପତି ନିଯୋଗର ପ୍ରାପ୍ୟ ପାଉଣା ବାବଦରେ ମଧ୍ୟ ଆଲୋଚନା ହୋଇଛି। ନବକଳେବର ପାଇଁ ଅଧିକ ଭକ୍ତ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ବନ୍ଦ ଲାଗି ନିଷ୍ପତ୍ତି ନେଇଥିବା ଦଇତାପତି ନିଯୋଗ ସଂପାଦକ କହିଛନ୍ତି।