ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତ ହେବେ ବିଜେପି ପ୍ରାର୍ଥୀ: କୁସୁମ ଟେଟେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବ। ବିଜେପି ବିଧାୟିକା କୁସୁମ ଟେଟେ ଆଜି ଏହି ସୂଚନା ଦେଇଛନ୍ତି। ପ୍ରଦୀପ ୧୪ ତାରିଖରେ ନାମାଙ୍କନ ଭରିବେ ବୋଲି ସେ କହିଛନ୍ତି। ହେଲେ ଏନେଇ ଦଳ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ତେବେ ଶାସକ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ  କିଏ ପ୍ରାର୍ଥୀ ହେବ ସୂଚନା ମିଳି ନାହିଁ।

ଗତକାଲି ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନଭେମ୍ବର ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ୧୮ ତାରିଖରେ ଯାଞ୍ଚ ଆଉ ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ହେବ। ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି।

ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରଠାରୁ ପଦ୍ମପୁର ବିଧାନସଭା ଆସନଟି ଖାଲି ପଡ଼ିଛି। ୬୫ ବର୍ଷ ବୟସରେ ଗତ ଅକ୍ଟୋବର ୨ ତାରିଖ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ୱର୍ଗତଃ ବରିହା ବରଗଡ଼ ଜିଲ୍ଲା ପଦ୍ମପୁରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରୁ୨୦୦୦ ଯାଏଁ ସେ ଜନତା ଦଳ ଟିକେଟ୍‌ରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୦ ଏବଂ ୨୦୦୯ରେ ବିଜେଡି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ବିଜୟୀ ହୋଇ ବିଧାନସଭାକୁ ଆସିବା ପରେ ସେ ବିଜେଡି ସରକାରରେ ମନ୍ତ୍ରୀ ହୋଇଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜୟ ରଂଜନ ସିଂହ ବରିହା ପୁଣି ବାଜି ମାରିଥିଲେ। ସେ ପଦ୍ମପୁର ଆସନରୁ ବିଜେଡି ଟିକେଟରେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୃତ୍ୟୁବେଳକୁ ସେ ଦଳର ବରଗଡ଼ ଜିଲ୍ଲା ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।