ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗ: ୧୨ ଘଣ୍ଟିଆ ପୁରୀ ବନ୍ଦକୁ ହାଇକୋର୍ଟ ବାର ଆସୋସିଏଶନର ସମର୍ଥନ

ଭୁବନେଶ୍ୱର: ଶ୍ରୀଜୀଉଙ୍କ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ପୁରୀ ବାର ଆସୋସିଏଶନ ଦେଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାକୁ ହାଇକୋର୍ଟ ବାର ଆସୋସିଏଶନ ସମର୍ଥନ କରିଛି । ଏହାସହ ଘଟ ପରିବର୍ତ୍ତନ ବିଭ୍ରାଟକୁ ଓଡିଶା ହାଇକୋର୍ଟ ବାର ଆସୋସିଏଶନ ଦୃଢ ନିନ୍ଦା କରିଛି । ଏହାକୁ ବିରୋଧ କରି ବୁଧବାର ଗୋଟିଏ ଦିନ ପାଇଁ ଓଡିଶା ହାଇକୋର୍ଟ ବାର ଆସୋସିଏଶନର ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ନ ଦେବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଏହାସହ ରାଜ୍ୟର ସମସ୍ତ ବାର ଆସୋସିଏଶନ ଏଥିରେ ସାମିଲ ହେବାକୁ ହାଇକୋର୍ଟ ବାର ଆସୋସିଏଶନ ପକ୍ଷରୁ ନିବେଦନ କରାଯାଇଛି । ହାଇକୋର୍ଟର ଜଣେ ଅବସ୍ଥାପିତ ଜଜଙ୍କ ଦ୍ୱାରା ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାର ଆସୋସିଏଶନ ପକ୍ଷରୁ ଦାବି କରାଯାଇଛି । ସେହିପରି ପୁରୀ ବାର୍ ଆସୋସିଏଶନ ବନ୍ଦ ଡାକରାକୁ ବିଜେପି ସମର୍ଥନ କରିଛି ।