ଭିଜିଲାନ୍ସ ଜାଲରେ ଦୁଇ ଜୁନିଅର ଆସିଷ୍ଟାଣ୍ଟ, ମିଳିମିଶି ନେଉଥିଲେ ଲାଞ୍ଚ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ବେଳେ ଦୁଇ ଜଣ ଜୁନିଅର ଆସିଷ୍ଟାଣ୍ଟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେମାନେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ୍‌ର ସୁଶୀଲ କୁମାର ପଟ୍ଟନାୟକ ଓ ଆସିକା ବ୍ଲକ୍‌ ଜୟପୁର ହାଇସ୍କୁଲ୍‌ର ପ୍ରଦୀପ କୁମାର ମହାନ୍ତି।

ଜୟପୁର ହାଇସ୍କୁଲ୍‌ରେ ଲ୍ୟାବ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା କାଳୀଚରଣ ପାଣିଗ୍ରାହୀ ଗତ ମେ’ ମାସରେ ଅବସର ଗ୍ରହଣ କରିଥିଲେ। ପେନ୍‌ସନ୍ କରାଇ ଦେବା ପାଇଁ ସେ ସ୍କୁଲ୍‌ର ଜୁନିଅର ଆସିଷ୍ଟାଣ୍ଟ ପ୍ରଦୀପ କୁମାର ମହାନ୍ତିଙ୍କ ନିକଟକୁ ଯାଇଥିଲେ। ଏହି କାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିଅର ଆସିଷ୍ଟାଣ୍ଟ ସୁଶୀଲ କୁମାର ପଟ୍ଟନାୟକଙ୍କ ଦ୍ୱାରା ହେବ ବୋଲି କହିବା ସହିତ ପ୍ରଦୀପ ୧୦ ହଜାର ଟଙ୍କା ମାଗିଥିଲେ।

ଘଟଣା ସଂପର୍କରେ କାଳୀଚରଣ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି କାଳୀଚରଣ ବ୍ରହ୍ମପୁର ଡିଇଓ ଅଫିସ୍‌କୁ ଆସିଥିଲେ। ସେଠାରେ ପ୍ରଦୀପ ମଧ୍ୟ ଉପସ୍ଥିତ ଥିଲେ। ସୁଶୀଲ ଓ ପ୍ରଦୀପ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ସେମାନଙ୍କୁ ଧରିଥିଲା। ସୁଶୀଲଙ୍କ ପାଖରୁ ୭୦୦୦ ଟଙ୍କା ଓ ପ୍ରଦୀପଙ୍କ ପାଖରୁ ୩୦୦୦ ଟଙ୍କା ଜବତ କରିଛି ଭିଜିଲାନ୍ସ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।