ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ଅଭିଯୋଗ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବରଗଡ଼ ଜିଲ୍ଲା ବରପାଲି ଗାଁର ଲକ୍ଷ୍ମୀଧର ଦୀପଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ତାଙ୍କ ଭାଇ ବଲାଙ୍ଗିର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତ ଲକ୍ଷ୍ମୀଧର କିଛି ବର୍ଷ ହେବ ନିଜ ପରିବାର ସହ ଶାଶୁ ଘର ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବାଦିଘୋର ଗାଁରେ ରହୁଥିଲେ। ହେଲେ ୧୫ ଦିନ ତଳେ ସେ ଶାଶୁ ଘର ଲୋକଙ୍କ ସହ ଝଗଡ଼ା ଲାଗି ନିଜ ଘର ବରପାଲିକୁ ଚାଲି ଯାଇଥିଲେ। ତେବେ ୬ ଦିନ ତଳେ ପୁଣି ଶାଶୁ ଘରକୁ ଆସିଥିଲେ।

ଅନ୍ୟପକ୍ଷରେ ଗତକାଲି ବଲାଙ୍ଗିର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଶାଶୁ ଘର ଲୋକେ ବରପାଲିରେ ଥିବା ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ।  ଖବର ପାଇ ଲକ୍ଷ୍ମୀଧରଙ୍କ ଭାଇ ବଲାଙ୍ଗିର ଡାକ୍ତରଖାନାରେ ପହଞ୍ଚିଥିଲେ। ଲକ୍ଷ୍ମୀଧରଙ୍କ ଛାତିରେ ଦାଗ ଲାଗିଥିବା ଦେଖି ତାଙ୍କୁ ହତ୍ୟା କରାଯାଇଥିବା ନେଇ ଲକ୍ଷ୍ମୀଧରଙ୍କ ଭାଇ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ରବିବାର ଦିନ ଲକ୍ଷ୍ମୀଧର ହାର୍ନିଆ ଅପରେସନ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ ରହିଛି। ପୁଲିସ ଆଜି  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।