ବ୍ରହ୍ମପୁର ରାଗିଂ ମାମଲାର ମୁଖ୍ୟ ଅଭିଯୁକ୍ତ ବିଜେଡିର ଛାତ୍ରନେତା!

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ରାଗିଂର ସବୁ ସୀମାକୁ ଟପିଗଲା ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ଘଟିଥିବା ଘଟଣା। ପୂର୍ବରୁ ରାଗିଂରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଇ ସିନିୟରମାନେ ତାହାର ମଜା ଉଠାଉଥିଲେ। ହେଲେ ଏଠାରେ ଜଣେ ଛାତ୍ରୀଙ୍କ ପ୍ରତି ଅଶାଳୀନ ବ୍ୟବହାର କରିବାକୁ, ତାଙ୍କ ମାନସମ୍ମାନ ହାନୀ କରିବାକୁ ସମସ୍ତଙ୍କ ସାମନାରେ ଜଣେ ଛାତ୍ରଙ୍କୁ ବାଧ୍ୟ କରାଯାଇଛି। ପ୍ରତିବାଦ କଲେ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ପ୍ଲାଷ୍ଟିକ ପାଇପ୍‌ରେ ପିଟିବାର ଧମକ ବି ଦିଆଯାଉଛି।

ଏହି ରାଗିଂ ଘଟଣାର ମୁଖ୍ୟ ଖଳନାୟକ ଅଭିଷେକ ନାୟକ କଲେଜରୁ ତଡ଼ା ଖାଇସାରିଥିବା ବେଳେ ତାଙ୍କୁ ପୁଲିସ୍‌ ବି ବାନ୍ଧି ସାରିଛି। ଏହି ଘଟଣାରେ ସମୁଦାୟ ୫ ଜଣଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ୧୨ ଜଣଙ୍କୁ କଲେଜରୁ ତଡ଼ି ଦିଆଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭିଷେକ ହୋଇଥିବା ବେଳେ ତାଙ୍କୁ ନେଇ ଆରମ୍ଭ ହଇଛି ତନାଘନା।

ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ଏପରି କାଣ୍ଡ କରିବା ନିମନ୍ତେ ଅଭିଷେକ କେଉଁଠୁ ବଳ ପାଉଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ହେଲେ ଏହି ଛାତ୍ରନେତା ଜଣକ ବିଜେଡି ବଳରେ ବଳିୟାନ ଥିବା ସ୍ପଷ୍ଟ ହୋଇଛି।

pic
ବିଜୁ ଜନତା ଦଳ ପକ୍ଷରୁ ପ୍ରକାଶିତ ତାଲିକାରେ ଅଭିଷେକଙ୍କ ନାଁ ।

ଗତ କିଛି ବର୍ଷ ଧରି ଶିକ୍ଷାନୁଷ୍ଠାନରେ ନିର୍ବାଚନକୁ ବନ୍ଦ କରି ଦିଆଯାଇଥିବା ବେଳେ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ବିଜେଡି ପକ୍ଷରୁ ଏକ ୧୧ ଜଣିଆ ତାଲିକା ପ୍ରକାଶ ପାଇଥିଲା। ଏହାର କନଭେନର ଥିଲେ ଅଭିଷେକ ଓ ତାଙ୍କ ନାମ ୧ନଂରେ ଥିଲା।   ଅଭିଷେକଙ୍କ ନାମରେ ବିଭିନ୍ନ ଗଣ୍ଡଗୋଳ ମାମଲାରେ ଥାନାରେ ମାମଲା ରୁଜୁ ହୋଇଥିଲା। ଏହା ସତ୍ତ୍ୱେ କିପରି ତାଙ୍କ ନାମ କମିଟି ତାଲିକାରେ ସ୍ଥାନ ପାଇଲା ତାହାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ।

ଏନେଇ କଲେଜ ଅଧ୍ୟକ୍ଷା କହିଛନ୍ତି, ଅଭିଷେକ କଲେଜରେ ପୂର୍ବରୁ ବିଶୃଙ୍ଖଳା ସୃଷ୍ଟି କରୁଥିଲା। କଲେଜ ଭିତରେ ଦ୍ରୁତ ଗତିରେ ବାଇକ୍‌ ଚଳାଇବା ସହ ମଦ, ଗଞ୍ଜେଇ ବି ଖାଉଥିଲା। ଅଧିକାଂଶ ସମୟରେ କ୍ଲାସ୍‌କୁ ଆସୁ ନଥିବା ବେଳେ ଯେବେ ଆସେ ବିଳମ୍ବରେ କ୍ଲାସରେ ପ୍ରବେଶ କରୁଥିଲା।  ତା’ ଅଭିଭାବକଙ୍କୁ ଡାକି ଘଟଣା ସମ୍ପର୍କରେ କହିଥିବା ବେଳେ ସେ ଆଉ ଏପରି କରିବନି ବୋଲି ତାଙ୍କ ମା’ ପ୍ରତିଶ୍ରୁତି ଦେଇଥିଲେ। ଏହାବାଦ ବିଜେଡିର ୧୧ ଜଣିଆ ତାଲିକା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଜାଣି ନ ଥିବା ସେ କହିଛନ୍ତି।

ବ୍ରହ୍ମପୁରର ଯୁବ କଂଗ୍ରେସ ସଭାପତି  କହିଛନ୍ତି, ଶାସକ ଦଳ କଲେଜ ନିର୍ବାଚନକୁ ବନ୍ଦ କରି ଗୁଣ୍ଡାବାହିନୀକୁ ନିଯୁକ୍ତି ଦେଇଛନ୍ତି। ସମସ୍ତଙ୍କ ସାମନାରେ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର କରାଯାଉଛି। ବିଜେଡି ସବୁବେଳେ ଗୁଣ୍ଡାଶ୍ରେଣୀ ଲୋକଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେଇଥାଏ। ଛାତ୍ର ବିଜେଡି ସଭାପତି ଇସ୍ତଫା ଦେବା ଉଚିତ। କଂଗ୍ରେସ ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ। ବିଜେଡି ନାରୀକୁ ସମ୍ମାନ ଦେବାକୁ ନାରା ଦେଉଥିବା ବେଳେ ଏଠାରେ କିନ୍ତୁ ତାହାର ଓଲଟା ଫଳ ଦେଖାଯାଉଛି।

ବିଜୁ ଜନତା ଦଳ ପକ୍ଷରୁ  ଅଭିଷେକକୁ ଦଳରୁ ବାହାର କରି ଦିଆଯାଇଥିବା କୁହାଯାଇଥିବା ବେଳେ କଲେଜ କମିଟିରୁ କ’ଣ ପାଇଁ ବାହାର କରାଯାଇ ନ ଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ବିନାୟକ ଆଚାର୍ଯ୍ୟ କଲେଜ କ୍ୟାମ୍ପସ୍‌ରେ ଜଣେ + ୨ ଛାତ୍ରୀଙ୍କୁ କେତେକ ଛାତ୍ରଛାତ୍ରୀ ରାଗିଂ କରୁଥିଲେ। +୩ ଛାତ୍ର ଅଭିଷେକ ନାୟକ ଓ ତାଙ୍କ ସାଥୀମାନେ ଠେଙ୍ଗା ଧରି ଜଣେ ଛାତ୍ରୀଙ୍କ ଗାଲକୁ କିସ୍‌ ଦେବାକୁ ଜଣେ ଛାତ୍ରଙ୍କୁ କହୁଥିଲେ। ଛାତ୍ର ଜଣକ ଅସହାୟ ହୋଇ ଭୟରେ ଛାତ୍ରୀଙ୍କ ଗାଲ୍‌କୁ କିସ୍‌ ଦେଉଥିଲେ ଓ ଆଇ ଲଭ୍‌ ୟୁ କହୁଥିଲେ। ଅଭିଷେକ ଓ ତାଙ୍କ ସାଥୀ (ଛାତ୍ରଛାତ୍ରୀ)ମାନେ ଅଶ୍ଲୀଳ ଭାଷାରେ ଗାଳି ମଧ୍ୟ ଦେଉଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।