୩ ପ୍ରସୂତୀ ମୃତୁ୍ୟ ଘଟଣା: ରିପୋର୍ଟ ଦାଖଲ କଲା ତଦନ୍ତକାରୀ ଟିମ୍

ଭୁବନେଶ୍ୱର: ବୁର୍ଲା ବଡ ମେଡିକାଲରେ ଅସ୍ତ୍ରୋପଚାରର ୫ ଘଣ୍ଟା ପରେ ତିନିଜଣ ପ୍ରସୂତୀଙ୍କ ମୃତୁ୍ୟ ଘଟଣାରେ ତଦନ୍ତକାରୀ ଟିମ୍ ରିପୋର୍ଟ ପ୍ରଦାନ କରିଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା।

ଗତ ଶୁକ୍ରବାର ବୁର୍ଲା ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଅସ୍ତ୍ରୋପଚାର ଦ୍ୱାରା ମୋଟ ୯ ଜଣଙ୍କ ପ୍ରସବ କରାଯାଇଥିଲା। ତେବେ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡି ଯାଇଥିଲା। ଆଉ କିଛି ଘଣ୍ଟାର ବ୍ୟବଧାନ ମଧ୍ୟରେ ତିନିଜଣଙ୍କର ମୃତୁ୍ୟ ହୋଇଥିଲା। ତେବେ ୯ ଜଣଙ୍କର ମଧ୍ୟରୁ ୩ ଜଣଙ୍କର କେଉଁ କାରଣ ଯୋଗୁଁ ମୃତୁ୍ୟ ହେଲା, ତାର ସରଜମିନ୍ ତଦନ୍ତ ପାଇଁ ଡିଏମ୍ଇଟିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ବୁର୍ଲା ମେଡିକାଲ ଯାଇଥିଲା।

ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର,ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ପଚାରଉଚାର କରିଥିଲା ଏହି ଟିମ୍। ସେହିଭଳି ଡ୍ରଗ୍ସ ଇନ୍ସ୍ପେକ୍ଟର ଏହି ବିଭାଗର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ। ଏହି ରିପୋର୍ଟରେ କ’ଣ ରହିଛି ସେ ନେଇ ସ୍ପଷ୍ଟ ସୂଚନା ଆସି ନାହିଁ।