ରାସନକାର୍ଡ ପାଇଁ ଓଡ଼ିଶା ସରକାରଙ୍କ ସର୍ତ୍ତ ବିରୋଧରେ ୧୩ରେ ବିଜେପିର ରାଉରକେଲା ବନ୍ଦ

ରାଉରକେଲା: ଖାଦ୍ୟ ସୁରକ୍ଷା କାର୍ଡ ଲାଗି କେନ୍ଦ୍ର ସରକାର ଲାଗୁ କରିଥିବା ୮ ଟି ମାନଦଣ୍ଡ ପରେ ରାଜ୍ୟ ସରକାର ଆଉ ଏକ ମାନଦଣ୍ଡ ଯୋଡି ଥିବା ବିରୋଧରେ  ଆସନ୍ତା ୧୩ ତାରିଖରେ ବିଜେପି ପକ୍ଷରୁ ରାଉରକେଲା ୧୨ ଘଣ୍ଟିଆ ବନ୍ଦ କରାଯିବ। ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “୮ ଟି ମାନଦଣ୍ଡ ଥିବା ଲୋକଙ୍କୁ ରାସନକାର୍ଡ ମିଳିବ ବୋଲି କେନ୍ଦ୍ର ସରକାର କହିଥିଲେ। କିନ୍ତୁ ତିନି ବଖରା ପକ୍କା ଘର ଥିବା ଲୋକଙ୍କୁ ରାସନକାର୍ଡ ମିଳିବ ନାହିଁ ବୋଲି ରାଜ୍ୟ ସରକାର ଆଉ ଏକ ମାନଦଣ୍ଡ ଯୋଡି ଦେଲେ। ତିନି ବଖରା ଘର ଥିବା ଖାଉଟି ରାସନକାର୍ଡ ପାଇଥିଲେ ତାଙ୍କ ବିରୋଧରେ କେସ କରିବା ସହ ଜେଲ ପଠାଇବା ପାଇଁ ସରକାର ନିର୍ଦ୍ଦେଶ ଦେଲେ। ସରକାରଙ୍କ ଏହି ନିୟମ ଯୋଗୁ ବହୁ ଖାଉଟି ରାସନକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷରେ କାର୍ଡ ପାଇଥିବା ଲୋକେ ଗିରଫ ଭୟରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।”

ଦିଲ୍ଲୀପ ଆହୁରି କହିଛନ୍ତି, “ରାଉରକେଲାରେ ପାଳ ଓ ଖପର ମିଳେ ନାହିଁ। ଏହି ଅଞ୍ଚଳରେ ଲୋକମାନେ ଟାଇଲ ଓ ଏଜବେଷ୍ଟସ ଘର କରି ରହିଥାନ୍ତି। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ପରେ କିଛି  ଲୋକଜେଲ ଯିବା ଭୟରେ ନିଜ ଘର ଭାଙ୍ଗି ଦେଉଛନ୍ତି। ଆମେ ଦାବି କରୁଛୁ  କେନ୍ଦ୍ର ସରକାର କରିଥିବା  ୮ଟି ମାନଦଣ୍ଡ  ଉପରେ ଲୋକଙ୍କୁ ରାସନକାର୍ଡ ଦିଆଯାଉ। ରାଜ୍ୟ ସରକାରଙ୍କ ନିୟମକୁ ଉଚ୍ଛେଦ କରାଯାଉ। ହିତାଧିକାରୀଙ୍କ ବିରୋଧରେ ରୁଜୁ  କରା ଯାଇଥିବା ମାମଲା  ପ୍ରତ୍ୟାହାର କରାଯାଉ।”