ଦୀପାବଳିରେ ଜଗା ଦର୍ଶନ ବନ୍ଦ; ଜାରି ହେବ ୧୪୪ ଧାରା

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ। ଏହି ଅବସରରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହେବ। ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଡିଆ କାଠ ଜାଳିଥାନ୍ତି।

ତେବେ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ କାଉଡିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି।  ଏଥିସହ କାଳିପୂଜା ଅବସରରେ ୪ ଓ ୫ ତାରିଖରେ ବୀରଗୋବିନ୍ଦପୁରସ୍ଥିତ ଦକ୍ଷିଣକାଳୀ ପୀଠରେ ୧୪୪ଧାରା ଜାରି କରାଯିବ।

ସୂଚନାଯୋଗ୍ୟ,  ଆଜିଠୁ ପଶ୍ଚିମଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ପୁରୀ ବାସିନ୍ଦା। ଏଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଏହା ସହ ଦୁଇଟି କିଓସ୍କ କରାଯାଇଛି। ସ୍ୱତନ୍ତ୍ର ଧାଡିରେ ପୁରୀ ବାସିନ୍ଦା ସାତ ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ଏଥିନିମନ୍ତେ ସେମାନଙ୍କୁ ଦୁଇଟି ଡୋଜ କୋଭିଡ୍ ଟିକା କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ।  ଦର୍ଶନ ପରେ ଉତ୍ତର କିମ୍ବା ଦକ୍ଷିଣ ଦ୍ୱାର ଦେଇ ବାହାରକୁ ବାହାରିପାରିବେ।

 

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।