୧୫ କି.ମି. ଦୂରରେ କେନ୍ଦ୍ର: ମାଟ୍ରିକ ପରୀକ୍ଷା ବର୍ଜନ ଲାଗି ରଜନା ସ୍କୁଲର ଛାତ୍ରୀଛାତ୍ରଙ୍କ ଚେତାବନୀ

nuapada1ନୂଆପଡ଼ା: ମାଟ୍ରିକ ପରୀକ୍ଷାରେ ସଂସ୍କାର ପାଇଁ ସରକାରବିଭିନ୍ନ ପଦକ୍ଷେପ ନେଉଛନ୍ତି। ପିଲାଙ୍କ ସୁବିଧା ପାଇଁ ନିଜ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଉଛି। ଯେଉଁ ବିଦ୍ୟାଳୟରେ ଭିତ୍ତିଭୂମି ନାହିଁ ୫ କି.ମି. ଦୂରତା ମଧ୍ୟରେ ପରୀକ୍ଷା କେନ୍ଦ୍ର କରାଯିବାକୁ ନିର୍ଦ୍ଦେଶ ରହିଛି। ହେଲେ ନୂଆପଡ଼ା ଜିଲ୍ଲାରେ ଏହାକୁ ଖୋଲା ଉଲ୍ଲଂଘନ କରାଯାଇ ପରୀକ୍ଷା କେନ୍ଦ୍ର ୧୫ କି.ମି. ଦୂରରେ କରାଯାଇଛି। ଏପରି ଅଭିଯୋଗ ଆସିଛି ରଜନା ଶ୍ରୀ ସୋମନାଥ ହାଇସ୍କୁଲରୁ। ଏହି ସ୍କୁଲର ପରୀକ୍ଷା କେନ୍ଦ୍ର ୧୫ କି.ମି. ଦୂର ଭେଲାମରେ ପଡିଥିବାରୁ ପିଲାମାନେ ପରୀକ୍ଷା ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

ମାଟ୍ରିକ ପରୀକ୍ଷାକୁ ରହିଲା ଆଉ ମାତ୍ର ୨୫ଦିନ। ଏପରି ସ୍ଥିତିରେ ପରୀକ୍ଷା କେନ୍ଦ୍ରକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ରଜନା ଶ୍ରୀ ସୋମନାଥ ହାଇସ୍କୁଲର ୩୧ ଜଣ ଛାତ୍ରଛାତ୍ରୀ। ରଜନା ଗାଁଟି ସୁନାବେଡା ଅଭୟାରଣ୍ୟ ପାଦଦେଶରେ ବଣପାହାଡ଼ ଘେରା ଅଞ୍ଚଳରେ ରହିଛି। ଏହା ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ କୌଣସି ଗମନାଗମନ ସୁବିଧା ନାହିଁ। ଏତେ ଦୂରରେ କେନ୍ଦ୍ର କରାଯାଇଥିବାରୁ ସେଠାକୁ ଯାଇ ପରୀକ୍ଷା ଦେବା ଅସମ୍ଭବ ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି ସ୍ଥିତିରେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରାଯାଇ ୫ କି.ମି. ମଧ୍ୟରେ କରା ନ ଗଲେ ଚଳିତବର୍ଷ ପରୀକ୍ଷା ଦେବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

ସୂଚନାଯୋଗ୍ୟ, ଏହି ବିଦ୍ୟାଳୟରେ ପୂର୍ବରୁ ପରୀକ୍ଷା ହେଉଥିଲା। ଏପରି କି କିଛିବର୍ଷ ହେବ ୫ କି.ମି. ଦୂରରେ ସ୍କୁଲର ପିଲାମାନେ ପରୀକ୍ଷା ଦେଇଛନ୍ତି। ତେବେ ଚଳିତବର୍ଷ ଏପରି ଅନିୟମିତତା କାହିଁକି କରାଗଲା ଓ ଏଥିପାଇଁ ଯିଏ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସ୍କୁଲର ଛାତ୍ରୀ ଲଳିତା ହାତୀ, କୌଶଲ୍ୟା କରୁଆଁ, ହରିପ୍ରିୟା ଶଗରିଆ, ଛାତ୍ର ତୋଫାନ କୁମାର ବାଗ ଏବଂ ଗୌରାଙ୍ଗ କରୁଆଁ କହିଛନ୍ତି ମାଓବାଦୀ ଅଞ୍ଚଳ ସହ ଜଙ୍ଗଲ ରାସ୍ତା ହୋଇଥିବାରୁ ସାଇକେଲରେ ଯାଇ ପରୀକ୍ଷା ଦେବେ ସମ୍ଭବ ନୁହେଁ। ୫ କି.ମି. ମଧ୍ୟରେ ଥିବା ଯେ କୌଣସି ସ୍କୁଲ ହେଉ କି ଆମ ସ୍କୁଲରେ ହେଉ ପରୀକ୍ଷା କରାଯାଉ। ନ ହେଲେ ଆମେ ଚଳିତବର୍ଷ ପରୀକ୍ଷା ବର୍ଜନ କରିବୁ। ସ୍କୁଲ ପରିଚାଳନା କମିଟି ସଭାପତି ବାସୁଦେବ ପୋଢ କହିଛନ୍ତି, ୧୫ କି.ମି. ଦୂରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପିଲାମାନଙ୍କ ପକ୍ଷେ ଏତେଦୂର ଯାଇ ପରୀକ୍ଷା ଦେବା ସମ୍ଭବ ନୁହେଁ। ୫ କି.ମି. ମଧ୍ୟରେ କେନ୍ଦ୍ର କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବୁ।

ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଯୋଶୀ କହିଛନ୍ତି, ସ୍କୁଲରେ ୧୭ଜଣ ଛାତ୍ରୀ, ୧୪ଜଣ ଛାତ୍ର ପଢୁଛନ୍ତି। ଏତେ ଦୂରରେ କେନ୍ଦ୍ର ପଡିଥିବାରୁ ପିଲାମାନେ ପରୀକ୍ଷା ଦେବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଶେଷ କରି ଗମନାଗମନ ସୁବିଧା ନ ଥିବାରୁ ଛାତ୍ରୀମାନଙ୍କ ପକ୍ଷେ ପରୀକ୍ଷା ଦେବାକୁ ଯିବା କଷ୍ଟକର ହୋଇପଡିଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ୫ କି.ମି. ମଧ୍ୟରେ ପରୀକ୍ଷା କେନ୍ଦ୍ର କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ କହିଛନ୍ତି, ରଜନାରୁ ଭେଲାମ ୭ରୁ ୧୦ କି.ମି. ଭିତରେ ହେବ। ରଜନାରେ ପରୀକ୍ଷା କେନ୍ଦ୍ର କରାଯିବାକୁ ସେମାନେ ଦାବି କରୁଥିଲେ। ସ୍କୁଲରେ ୩୧ ପିଲା ଅଛନ୍ତି। ଗୋଟିଏ ପରୀକ୍ଷା କେନ୍ଦ୍ର କରିବାକୁ ହେଲେ ୧୦୦ରୁ ଅଧିକ ପିଲା ରହିବା ଦରକାର। ଆଖପାଖରେ କୌଣସି ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯିବା ନେଇ ମଧ୍ୟ ଏପରି ସୁବିଧା ନ ଥିବାରୁ ଏହି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହା ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସବୁ ସ୍କୁଲରେ କେନ୍ଦ୍ର କରିବା ସମ୍ଭବ ହେଉନାହିଁ। ଅନ୍ୟ କିଛି ସ୍କୁଲର ପରୀକ୍ଷା କେନ୍ଦ୍ର ୨୦ରୁ ୨୫ କି.ମି. ଦୂରରେ କରାଯାଇଛି। ପିଲାମାନେ ପରୀକ୍ଷା ବର୍ଜନ କରିବାକୁ କେହି ଉସୁକାଉଛନ୍ତି। ଏବେ ତ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରାଯିବା ସମ୍ଭବ ନୁହେଁ। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଦେବୁ ବୋଲି ସେ କହିଛନ୍ତି।