କଟକ ଆସିଛି କି କରୋନାର ନୂଆ ଷ୍ଟ୍ରେନ?

କଟକ (ଓଡ଼ିଶା ରିପୋର୍ଟର): କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନର ୧୭ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଅନୁଷ୍ଠାନକୁ ରାଜ୍ୟ ବାହାରୁ ଲୋକ ଆସୁଥିବା ଯୋଗୁ ଏହି କର୍ମଚାରୀମାନେ କରୋନାର ନୂଆ ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତ‌ ହୋଇଥିବା ଆଶଙ୍କା କରାଯାଉଛି। ତେଣୁ ଷ୍ଟ୍ରେନ ସଂପର୍କରେ ଜାଣିବାକୁ ଏହି ୧୭ ଜଣଙ୍କ ମଧ୍ୟରୁ ୯ ଜଣଙ୍କ ସାମ୍ପଲ ସଂଗ୍ରହ କରାଯାଇଛି। କଟକ ମହାନଗର ନିଗମ(ସିଏମ୍‌ସି)ର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି, ଏସ୍‌ସିବିର ମାଇକ୍ରୋ ବାୟୋଲୋଜି ବିଭାଗ ଦ୍ୱାରା ୯ ଜଣଙ୍କ ସାମ୍ପଲ ସଂଗ୍ରହ କରାଯାଇଛି। ସଂଗୃହୀତ ସାମ୍ପଲକୁ ଭୁବନେଶ୍ୱର ସ୍ଥିତ RMRCକୁ ପଠାଯିବ। 

୧୭ ଜଣ କରୋନା ପଜିଟିଭି ଚିହ୍ନଟ ହେବା ପରେ ଏହି ଘରୋଇ ଶିକ୍ଷାନୁଷ୍ଠାନକୁ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଏଥିସହ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଏହା ପରେ ଜଣାପଡ଼ିବ, କେତେ ଲୋକ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି।

ଏହି ଅନୁଷ୍ଠାନର ଜଣଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଅନ୍ୟମାନଙ୍କର ଟେଷ୍ଟ କରାଯାଇଥିଲା। ଏବଂ ୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ଏହା ପୂର୍ବରୁ କଟକର ଏକ ଘରୋଇ କଲେଜରୁ ୨୫ ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେଥିପାଇଁ ସିଏମ୍‌ସି ଉକ୍ତ କଲେଜ ଓ ହଷ୍ଟେଲକୁ ୧୦ ଦିନ ପାଇଁ ବନ୍ଦ କରି ଦେଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଟକ ଜିଲ୍ଲାରେ ସର୍ବାଧିକ ଅଛନ୍ତି। ଜିଲ୍ଲାରୁ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି କଟକ ଜିଲ୍ଲାରେ ସର୍ବାଧିକ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ଏହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଲୋକେ ମଧ୍ୟ ଡରି ଯାଇଛନ୍ତି।

ଦୋଳ ଓ ହୋଲି ପାଇଁ ଗାଇଡ୍‌ଲାଇନ୍‌ ଜାରି

କରୋନାର ଲେଉଟାଣୀକୁ ଦେଖି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଦୋଳ ଓ ହୋଲି ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ରାଜ୍ୟତମାମ ଦୋଳଯାତ୍ରା ପାଳନ ବେଳେ ଲୋକଙ୍କ ଗହଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ମ୍ୟୁନିସପାଲ୍‌ କମିଶନର ଚାହିଁଲେ ମନ୍ଦିର ଓ ଧାର୍ମିକ ସ୍ଥାନରେ ‘ଦୋଳ ମେଳଣ’ ପାଇଁ ନିୟମ କୋହଳ କରିପାରିବେ ଏବଂ କୋଭିଡ୍ ଗାଇଡଲାଇନ ପାଳନ କରି କମ୍ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଏଥିନିମନ୍ତେ ଅନୁମତି ଦେଇପାରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।