କୁଆଡ଼େ ଗଲେ ମାଷ୍ଟ୍ରେ, ୫ ବର୍ଷ ପରେ ବି ମିଳୁନି ୧୮୯ ଶିକ୍ଷକଙ୍କ ପତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସରକାର ଶିକ୍ଷକ ନିଯୁକ୍ତ କରିଛନ୍ତି। ହେଲେ ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷରୁ ଅଧିକ ସମୟ ଧରି ଅନଧିକୃତ ଭାବେ ପ୍ରାୟ ୧୮୯ ଜଣ ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସୁନାହାନ୍ତି। ଏବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।

ଟିଟିଲାଗଡ଼ ବ୍ଲକର ବୁରାବନ୍ଧ ସ୍କୁଲରେ ୫ ବର୍ଷ ତଳେ ସହକାରୀ ଶିକ୍ଷକ ଭାବେ କାମ କରୁଥିଲେ ବିନୋଦ ମାଝୀ। ହେଲେ ୨୦୧୪ରୁ ସେ ଦିନଟିଏ ବି ସ୍କୁଲକୁ ଆସିନାହାନ୍ତି। ଠିକ୍ ସେହିଭଳି ଏହି ବ୍ଲକର କୁଶକେଲା ପଂଚାୟତର ରୁଣିମହୁଲ ୟୁପି ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଭକଚନ ଯାନୀ ମଧ୍ୟ ୨୦୧୪ ମସିହାରୁ ଆଉ ଏଠାକୁ ଆସୁନାହାନ୍ତି। ଅନେକ ସମୟରେ ତାଙ୍କୁ ନୋଟିସ୍ ପଠାଯାଇଥିଲେ ବି ସେ ଏହାର କୌଣସି ଉତ୍ତର ଦେଇ ନଥିଲେ। ଏହା ବିରୋଧରେ ପ୍ରଧାନ ଶିକ୍ଷୟତ୍ରୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ଏଯାଏ ସମସ୍ତେ କେବଳ ଚୁପ ବସି ରହିଛନ୍ତି।

ଜଳେଶ୍ୱର ବ୍ଲକ୍ ଗୁରୁଦାସପୁର ୟୁପି ସ୍କୁଲର ଶିକ୍ଷୟିତ୍ରୀ ସୁନିତା ବାସୁରି ମଧ୍ୟ ୨୦୧୬ ଠାରୁ ଗାଏବ। କେବଳ ଏ ୨/୩ଟି ବ୍ଲକ୍ ନୁହେଁ ୫ ବର୍ଷରୁ ଅଧିକ ସମୟ ଧରି ପ୍ରାୟ ୧୮୯ ଜଣ ଶିକ୍ଷକ ଓ କର୍ମଚାରୀ ଅନଧିକୃତ ଭାବେ ଅନୁପସ୍ଥିତ ରହିଛନ୍ତି। ସରକାର ଲେଖିଥିବା ଚିଠି ହିଁ ଏହାର ପ୍ରମାଣ ବୟାନ କରୁଛି।

ଗାଏବ୍ ଥିବା ୧୮୯ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରୁ ୧୦୮ ଜଣ ହେଉଛନ୍ତି ଠିକା ଶିକ୍ଷକ। ପତ୍ତା ମିଳୁନଥିବାରୁ ଏସବୁ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଁ ଅଣ୍ଟା ଭିଡ଼ିଛି। ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅନୁପସ୍ଥିତ ରହିଥିବା ଶିକ୍ଷକ ଓ କର୍ମଚାରୀଙ୍କ ସମ୍ପକରେ ଆଉଥରେ ଯାଞ୍ଚ କରି ରିପୋର୍ଟ ଦେବାକୁ ଚିଠି ଲେଖାଯାଇଛି।

ଅନ୍ୟପକ୍ଷରେ ୫ ବର୍ଷରୁ ଅଧିକ ସମୟ ଧରି ଅନଧିକୃତ ଭାବେ ଛୁଟିରେ ଥିବା ଶିକ୍ଷକଙ୍କୁ ଆଉ ଚାକିରିରେ ଯୋଗଦାନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଚିଠିରେ ଦର୍ଶାଯାଇଛି। ସେହିପରି ଠିକା କର୍ମଚାରୀଙ୍କ ବାର୍ଷିକ ଚୁକ୍ତି ମଧ୍ୟ ନବୀକକରଣ ହେବନାହିଁ।

ପ୍ରଥମେ ଶତାଧିକ ଡାକ୍ତର ଆଉ ଏବେ ଶିକ୍ଷକଙ୍କ ଅନଧିକୃତ ଅନୁପସ୍ଥିତିକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। କାହିଁକି ବର୍ଷ ବର୍ଷ ଧରି ଏହି ଶିକ୍ଷକମାନେ ଅନୁପସ୍ଥିତ ରହିଲେ? ସେମାନଙ୍କ ଅନୁପସ୍ଥିତ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ପାଇଁ ଦାୟୀ କିଏ? ଏତେଦିନ ଧରି ଗଣଶିକ୍ଷା ବିଭାଗ କାହିଁକି ଚୁପ୍ ବସିଥିଲା?

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।