ଭାଇକୁ ବଞ୍ଚାଇବାକୁ ଯାଇ ଗୁଳି ଖାଇଲା ଭଉଣୀ

ଫୁଲବାଣୀ(ତ୍ରିନାଥ ସାହୁ): ମୋ ଜୀବନ ଚାଲିଯାଉ, କିନ୍ତୁ ମୋ ଭାଇ ଜୀବନ ବଞ୍ଚିଯାଉ। ଏପରି ଭାବି ବନ୍ଧୁକ ଆଗରେ ଠିଆ ହୋଇଗଲା ଭଉଣୀ। ଭାଇ ଦେହରେ ବାଜିବାକୁ ଆସିଥିବା ଗୁଳିଟି ଭଭଣୀ ଜଙ୍ଘରେ ବାଜିଲା। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବିଲୁପଦର ଗାଁରେ।

ବଳଦ କିଣାବିକାକୁ କେନ୍ଦ୍ର କରି ବିଲୁପଦର ଗାଁରେ ଗୁଳିମାଡ଼ ହୋଇଥିଲା। ଅଭିଯୁକ୍ତର ଗୁଳିମାଡ଼ରେ ଦୁଇ ଜଣ ଆହତ ହୋଇଥିଲେ। ଆହତମାନେ ହେଲେ ପ୍ରଭାସିନୀ ସାହାଣୀ ଓ ତାଙ୍କ ପୁତୁରା ସାବାଜନ ସାହାଣୀ। ସେମାନଙ୍କୁ  ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରଭାସିନୀଙ୍କ ଜଙ୍ଘରେ ଗୁଳି ବାଜିଥିବା ବେଳେ ନାବାଳକଙ୍କ ପେଟରେ ଗୁଳି ବାଜିଛି।

ସୂଚନା ଅନୁସାରେ, ଶ୍ରୀପଲା ଗାଁର ସଞ୍ଜୟ ସାହାଣୀ ପ୍ରଭାସିନୀଙ୍କ ଭାଇ ମହେଶ୍ୱରଙ୍କଠାରୁ ବଳଦ କିଣି ନେଇଥିଲେ।  ହେଲେ ଟଙ୍କା ଦେଇ ନ ଥିଲେ। ସେହି ଟଙ୍କା ମାଗିବା ପାଇଁ ଗତକାଲି ମହେଶ୍ୱର ଶ୍ରୀପଲା ଗାଁକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ସଂଜୟ ସହିତ ତାଙ୍କର ବଚସା ହୋଇଥିଲା। ପରେ ମହେଶ୍ୱର ନିଜ ଘରକୁ ଫେରିଆସିଥିଲା।

ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ସଂଜୟ ତାର ଦୁଇଜଣ ସହଯୋଗୀଙ୍କୁ ନେଇ ମହେଶ୍ୱରଙ୍କ ଘରକୁ ଆସି ପାଟିତୁଣ୍ଡ କରିଥିଲେ। ପରେ ଏକ ଦେଶୀ ବନ୍ଧୁକ ବାହାର କରି ମହେଶ୍ୱରଙ୍କ ଉପରକୁ ଗୁଳି କରିଥିଲେ।  ସେହି ସମୟରେ ପ୍ରଭାସିନୀ ଭାଇ ପାଖରେ ଠିଆ ହୋଇଥିଲେ। ଭାଇକୁ ବଞ୍ଚାଇବାକୁ ବନ୍ଧୁକ ସାମ୍ନାକୁ ପଳାଇ ଆସିଥିଲେ।  ଗୁଳିଟି  ତାଙ୍କ ଦେହରେ ବାଜିଥିଲା। ପରେ ସଞ୍ଜୟ ପୁଣି ମହେଶ୍ୱରଙ୍କ ଉପରକୁ ଗୁଳି ଚଳାଇଥିଲେ।  ଗୁଳିଟି ମହେଶ୍ୱରଙ୍କ ପୁଅ ଉପରେ ବାଜିଥିଲା। ହେଲେ ମହେଶ୍ୱରଙ୍କର କିଛି ହୋଇ ନାହିଁ।

ପରେ ସଞ୍ଜୟ ଓ ତାର ସହଯୋଗୀ ଘଟଣାସ୍ଥଳରୁ ଦୌଡ଼ି ପଳାଯାଇଥିଲେ। ଏନେଇ ମହେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ  ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା  ଚଳାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।