ଭୋଜି ଖାଇ ୨ ଶ୍ରମିକଙ୍କ ମୃତ୍ୟୁ
କାମାକ୍ଷାନଗର(ବିଦ୍ୟାଧର ବରାଳ): ଘର ଛାତ କାମ ବେଳେ ଭୋଜି ଖାଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୧୫ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆଜି ଏପରି ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି।
ଗୁରୁବାର ବେଢ଼ାପାଳ ଗାଁର ସଦେଇ ବେହେରାଙ୍କ ଘର ଛାତ ପଡିଥିଲା। ଏହି କାମରେ ୨୨ ଜଣ ଶ୍ରମିକ ନିୟୋଜିତ ହୋଇଥିଲା। କାମ କରୁଥିବା ଶ୍ରମିକଙ୍କ ପାଇଁ ମାଛ ଓ ଚିକେନ୍ ହୋଇଥିଲା। ଛାତ ପଡ଼ି ସାରିବା ପରେ ଶ୍ରମିକମାନେ ମାଛ ଓ ଚିକେନ୍ ତରକାରୀ ଖାଇ ଘରକୁ ଫେରିଥିଲେ।
ଛାତ କାମରେ ନିୟୋଜିତ ହୋଇଥିବା ଶ୍ରମିକ ବାଙ୍କ ମଲ୍ଲିକ ଓ ଭଗବାନ ମଲ୍ଲିକଙ୍କୁ ଶୁକ୍ରବାର ସକାଳେ ଝାଡ଼ାବାନ୍ତି ହୋଇଥିଲା। ସେମାନଙ୍କୁ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ବାଙ୍କଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଙ୍କଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି। ସେପଟେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭଗବାନଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଶ୍ରମିକ। ଆଉ ୧୫ ଜଣ ଗାଁରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।