ପଟ୍ଟାମୁଣ୍ଡାଇ କେନାଲରେ ୩ଜଣ ନିଖୋଜ ଘଟଣା: ମିଳିଲା ୨ଜଣଙ୍କ ମୃତଦେହ

ଚୌଦ୍ୱାର(ପ୍ରକାଶ ନାୟକ): କଟକ ଜିଲ୍ଲା ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ୩ଜଣ ଭାସିଯିବା ଘଟଣାରେ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକମାନେ ତ୍ରିଲୋଚନ ମହଲା ଓ ବାଦଲ ସାହୁ। ତ୍ରିଲୋଚନଙ୍କ ଘର ଚାଉଳିଆ ଗଞ୍ଜରେ ହୋଇଥିବାବେଳେ ବାଦଲଙ୍କ ଘର ଚୌଦ୍ୱାର ଅଞ୍ଚଳର ବୋଲି ଜଣାଯାଇଛି।  ଏବେ  ବି ନିଲୁ ସାହୁଙ୍କର କୌଣସି ପତ୍ତା ମିଳିନାହିଁ।

ଚୌଦ୍ୱାରରେ ଲକ୍ଷ୍ମୀପୂଜା ଭାସାଣୀ ଦେଖିବା ପାଇଁ ନିଲୁ ଓ ତାଙ୍କ ସାଙ୍ଗ ତ୍ରିଲୋଚନଙ୍କୁ ନେଇ ମାଉସୀ ଘରକୁ ଯାଇଥିଲେ।  ଗତକାଲି ରାତିରେ  ଲକ୍ଷ୍ମୀପୂଜା ଭସାଣ ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ନିଲୁ, ତ୍ରିଲୋଚନ, ମାଉସୀ ପୁଅ ବାଦଲ ଓ ତାଙ୍କ ସାଙ୍ଗ ବସିଥିଲେ। ଏହି ସମୟରେ ଜଣେ ଯୁବକ କେନାଲ ଭିତରକୁ ଖସି ପଡ଼ିଥିଲେ। ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ସମସ୍ତେ କେନାଲକୁ ଡେଇଁ ପଡ଼ିଥିଲେ। ପରେ ସମସ୍ତେ କେନାଲରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ବାଦଲଙ୍କ ସାଙ୍ଗକୁ ଉଦ୍ଧାର କରିଥିଲେ। ହେଲେ  ନିଲୁ, ତ୍ରିଲୋଚନ ଓ ବାଦଲଙ୍କର କୌଣସି ପତ୍ତା ମିଳି ନଥିଲା। ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି  ଗତକାଲି ରାତିଠୁ ଖୋଜାଖୋଜି କରିବା ପରେ ଆଜି  ତ୍ରିଲୋଚନ ଓ ବାଦଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ନିଲୁ ଏବେ ବି ନିଖୋଜ ଅଛନ୍ତି।  ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

କେନାଲ ପାଣି ଚାଲୁଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ରହୁଛି।  ଏଣୁ ଉପରମୁଣ୍ଡରୁ ଗେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।  ଘଟଣା ରାତିରେ ଘଟିଥିବା ବେଳେ, ଦିନ ବେଳା ଉଦ୍ଧାର କାର୍ଯ୍ୟ କରିବା ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ।

 

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।