ବିବାହ ଭୋଜିକୁ ଯାଉଥିଲେ, ଓଲଟି ପଡ଼ିଲା ଟ୍ରାକ୍ଟର

ନାରାୟଣପାଟଣା (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୨୬ ଜଣ ଲୋକ ଆହତ ହୋଇଛନ୍ତି। ନାରାୟଣପାଟଣାର ବେଦାଇଟିକିରେ ଏକ ଟ୍ରାକ୍ଟର ଓଲଟି ପଡ଼ିଥିବା ବେଳେ ଝାଡ଼େଶ୍ୱର ମନ୍ଦିର ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଛି।

ବେଦାଇଟିକି ନିକଟରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ୨୦ ଜଣ ଲୋକ ଆହତ ହୋଇଛନ୍ତି।  ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ନାରାୟଣପାଟଣାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜମୁଡ଼ାବାଲାସା ଗାଁରେ ଏକ ବିବାହ ଭୋଜି ଥିଲା। ଆଜି ଦିନ ପ୍ରାୟ ୧ଟା ସମୟରେ ଜାଙ୍ଗିଡିବାଲାସାରୁ ୪୦ରୁ ଅଧିକ ଲୋକ ଏହି ଭୋଜିରେ ଯୋଗ ଦେବାକୁ ଟ୍ରାକ୍ଟରରେ ଯାଉଥିଲେ। ଏହି ସମୟରେ ବେଦାଇଟିକି ନିକଟରେ ଟାକ୍ଟ୍ରରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ସେହିପରି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ଝାଡ଼େଶ୍ୱର ମନ୍ଦିର ନିକଟରେ ଏକ ଅଟୋ ଓଲଟି ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅଟୋଟି ବାଲିପେଟାରୁ ନାରାୟଣପାଟଣା ଅଭିମୁଖେ ଯାଉଥିବା ସମୟରେ ଝାଡ଼େଶ୍ୱର ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।